ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସୋନମ ୱାଙ୍ଗଚୁକ, କହିଲେ- ସେଦିନ ରାତିରେ…

ନୂଆଦିଲ୍ଲୀ,୬।୮: NEET ପେପର ଲିକ ଘଟଣା ଏବଂ ଛାତ୍ରୀଛାତ୍ରଙ୍କ ପ୍ରତିବାଦକୁ ସମର୍ଥନ କରି ୨୬ ଦିନ ଧରି ଅନଶନ କରିଥିବା ପ୍ରସିଦ୍ଧ ପରିବେଶବିତ୍‌ ସୋନମ ୱାଙ୍ଗଚୁକ ନିଜର ଅନଶନ ଭାଙ୍ଗିବା ପଛର ପୂରା କାହାଣୀ ସାମ୍ନାକୁ ଆଣିଛନ୍ତି। ଗୁରୁଗ୍ରାମର ଏକ ହସ୍ପିଟାଲରେ ଅନଶନ ପ୍ରତ୍ୟାହାର କରିବା ପରେ ସେ କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ବିରୁଦ୍ଧରେ ପ୍ରତିଶ୍ରୁତି ଭଙ୍ଗ କରିଥିବା ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ସରକାର, ବିରୋଧୀ ଏବଂ ଛାତ୍ର ପ୍ରତିନିଧିମାନଙ୍କୁ ନେଇ ଏକ ମିଳିତ ଭାବରେ ଅନଶନ ଭାଙ୍ଗିବାକୁ ଚାହୁଁଥିଲେ, କିନ୍ତୁ ମନ୍ତ୍ରୀମାନଙ୍କ ଗସ୍ତ ତାଙ୍କର ସମସ୍ତ ଯୋଜନାକୁ ପଣ୍ଡ କରିଦେଇଛି।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୋନମ ୱାଙ୍ଗଚୁକ କହିଛନ୍ତି ଯେ, କେନ୍ଦ୍ରୀୟ ମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହଙ୍କ ସହିତ ହୋଇଥିବା ଅଧା ରାତିର ବୈଠକକୁ ନେଇ ଏକ ସ୍ପଷ୍ଟ ବୁଝାମଣା ହୋଇଥିଲା। ଏହି ବୈଠକର କୌଣସି ବି ଫଟୋ ସେତେବେଳେ ପର୍ଯ୍ୟନ୍ତ ସାର୍ବଜନୀନ କରାଯିବ ନାହିଁ, ଯେତେବେଳେ ପର୍ଯ୍ୟନ୍ତ ବିରୋଧୀ ଦଳର ନେତା ଏବଂ ଛାତ୍ର ପ୍ରତିନିଧିମାନଙ୍କୁ ଏହି ଘୋଷଣାରେ ସାମିଲ କରାଯାଇନାହିଁ।

ମାତ୍ର ମନ୍ତ୍ରୀମାନେ ନିଜର ଫଟୋଗ୍ରାଫରଙ୍କୁ ଡାକିଥିଲେ ଏବଂ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଏହାକୁ ରିଲିଜ କରାଯିବ ନାହିଁ। କିନ୍ତୁ ପରେ ସେମାନେ ନିଜ କଥା ରଖି ନଥିଲେ ଏବଂ ପ୍ରତିଶ୍ରୁତି ଭଙ୍ଗ କରିଥିଲେ ବୋଲି ସୋନମ ଅଭିଯୋଗ କରିଛନ୍ତି।

ଲଦାଖର ସାଂସ୍କୃତିକ ପରମ୍ପରାକୁ ଦର୍ଶାଇ ସେ କହିଛନ୍ତି ଯେ ସେଠାରେ ଆନ୍ଦୋଳନକାରୀଙ୍କ ଦାବି ପୂରଣ ହେବା ପରେ, ସରକାରୀ ପ୍ରତିନିଧିମାନେ ଅନଶନ ଭାଙ୍ଗିବା ପାଇଁ ଜୁସ କିମ୍ବା ସୁପ ପ୍ରଦାନ କରିଥା’ନ୍ତି। କିନ୍ତୁ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ମୁହୂର୍ତ୍ତକୁ କେବଳ ଶାସକ ଦଳର ଏକ ରାଜନୈତିକ କାର୍ଯ୍ୟକ୍ରମ ଭାବରେ ପ୍ରଦର୍ଶିତ କରାଯିବା ଉଚିତ୍‌ ନୁହେଁ।

ସେ କହିଛନ୍ତି, “ମୁଁ ସେମାନଙ୍କୁ ସ୍ପଷ୍ଟ ଭାବେ କହିଥିଲି ଯେ ମୁଁ ଚାହେଁ ଏଥିରେ ଅନ୍ୟାନ୍ୟ ରାଜନୈତିକ ଦଳର ସଦସ୍ୟ, ସେମାନଙ୍କ ନେତା ଏବଂ ଛାତ୍ର ନେତାମାନେ ମଧ୍ୟ ସାମିଲ ହୁଅନ୍ତୁ। ମୁଁ ଚାହୁଁଥିଲି ଏହା ଏକ ମିଳିତ କାର୍ଯ୍ୟକ୍ରମ ହେଉ, ଯାହାଦ୍ୱାରା ଏହାକୁ ସମସ୍ତଙ୍କର ସଫଳତା ଭାବେ ଗ୍ରହଣ କରାଯାଇପାରିବ।”

Odisha’s No.1 Odia Daily