ସୋନମ ୱାଙ୍ଗଚୁକଙ୍କୁ ବଡ଼ ଝଟକା, ପ୍ରଶାସନ ଦେଲା ଏଭଳି ନିର୍ଦ୍ଦେଶ

ନୂଆଦିଲ୍ଲୀ, ୩।୧୧: ଲଦାଖ ପ୍ରଶାସନ ଶିକ୍ଷା ଓ ପରିବେଶ କ୍ଷେତ୍ରରେ କାମ କରୁଥିବା ସୋନମ ୱାଙ୍ଗଚୁକଙ୍କୁ ବଡ଼ ଝଟକା ଦେଇଛି। ୱାଙ୍ଗଚୁକଙ୍କ ଦ୍ୱାରା ପ୍ରତିଷ୍ଠିତ ହିମାଳୟନ ଇନଷ୍ଟିଚ୍ୟୁଟ ଅଫ ଅଲଟରନେଟିଭ୍ସ ଲଦାଖ (HIAL)ର ଡେଜର୍ଟ ଫ୍ଲାୱାର ସ୍କୁଲକୁ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଏହାର ସମସ୍ତ କାର୍ଯ୍ୟକଳାପ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ହାଇକୋର୍ଟରେ ଚାଲିଥିବା ମାମଲାର ରାୟ ଆସିବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ।

ଏହା ପୂର୍ବରୁ ସୋନମ ୱାଙ୍ଗଚୁକ ଲଦାଖର ଉପରାଜ୍ୟପାଳ ପ୍ରଶାସନକୁ ଟାର୍ଗେଟ କରିଥିଲେ। ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖି ସେ କହିଥିଲେ ଯେ, ନାଗରିକ ସମାଜର ଲଗାତାର ବିରୋଧ ଏବଂ ମହିଳା ଗୋଷ୍ଠୀଙ୍କ ସପ୍ତାହେ ବ୍ୟାପୀ ଧାରଣା ପରେ ପ୍ରଶାସନ ନିଜର ବିବାଦୀୟ ମଦ ନୀତି ପ୍ରତ୍ୟାହାର କରିଛି।

ୱାଙ୍ଗଚୁକଙ୍କ କହିବା ଅନୁଯାୟୀ, ପ୍ରଶାସନ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ତାଙ୍କ ଉପରେ ମିଥ୍ୟା ଓ ଗୁଜବ ପ୍ରଚାର କରିବାର ଅଭିଯୋଗ ଆଣିଛି। ଯଦି ତାଙ୍କ କଥା କେବଳ ଗୁଜବ ଥିଲା, ତେବେ ଶହ ଶହ ମାଆ କାହିଁକି ନିଜ ପିଲା ଓ ଘର ଛାଡ଼ି ଶୂନ ଡିଗ୍ରୀରୁ କମ ତାପମାତ୍ରାରେ ଲଗାତାର ୬ ରାତି ଧରି ଧାରଣାରେ ବସିଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

ଲଦାଖରେ ଏବେ କେବଳ ଗୋଟିଏ ମଦ ଦୋକାନ ରହିଥିବା ପ୍ରଶାସନର ଦାବିକୁ ମଧ୍ୟ ୱାଙ୍ଗଚୁକ ପ୍ରଶ୍ନ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ପ୍ରଶାସନ ମଦ ଦୋକାନଗୁଡ଼ିକୁ ବନ୍ଦ କରିବା ପରେ ବାର୍‌ ଖୋଲିବାକୁ ଅନୁମତି ଦେଇଥିଲା। ଏହି ବାରଗୁଡ଼ିକର ସଂଖ୍ୟା ୫୦ରେ ପହଞ୍ଚିଛି, ଯାହା ତାଙ୍କ ମତରେ ଲଦାଖ ଇତିହାସରେ ସର୍ବାଧିକ।

ସେ କହିଛନ୍ତି ଯେ, ପ୍ରଶାସନ ନିଜର ଭାବମୂର୍ତ୍ତି ବଞ୍ଚାଇବା ପାଇଁ ପ୍ରେସ ବିଜ୍ଞପ୍ତି ଜାରି କରି ତାଙ୍କୁ ଟାର୍ଗେଟ କରୁଛି। ଏବେ ଦେଖିବାକୁ ହେବ ଯେ କେତେ ଖବରକାଗଜ ଓ ନ୍ୟୁଜ ଚ୍ୟାନେଲ ପ୍ରଶାସନର ବୟାନ ସହିତ ତାଙ୍କର ପ୍ରତିଜବାବ ଏବଂ ମଦ ବିରୋଧରେ ଆନ୍ଦୋଳନ କରୁଥିବା ଲଦାଖର ମହିଳାମାନଙ୍କ ଭିଡିଓ ମଧ୍ୟ ପ୍ରସାରଣ କରୁଛନ୍ତି।

Dharitri – Odisha’s No.1 Odia Daily

Share