ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍‌ ଜାରି କଲା ହସ୍ପିଟାଲ; ସ୍ତ୍ରୀ କହିଲେ ମୋ ଅନୁମତି ବିନା…

ନୂଆଦିଲ୍ଲୀ,୧୮।୭: ଦିଲ୍ଲୀ ପୋଲିସ ଶନିବାର ସକାଳେ ଜନ୍ତର-ମନ୍ତରରେ ଗତ ୨୦ ଦିନ ହେବ ଅନଶନରେ ବସିଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ନିଜ ସହ ନେଇଯାଇଛି। ପୋଲିସ ସୂଚନା ଦେଇଛି ଯେ ସୋନମ ୱାଙ୍ଗଚୁକଙ୍କ ବିଗୁଡ଼ୁଥିବା ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ସଫଦରଜଙ୍ଗ ହସ୍ପିଟାଲ ସୋନମ ୱାଙ୍ଗଚୁକଙ୍କ ହେଲ୍‌ଥ ଅପଡେଟ୍‌ ଜାରି କରିଛି।

ଡାକ୍ତରଖାନା ପକ୍ଷରୁ ଜାରି କରାଯାଇଥିବା ହେଲ୍‌ଥ ଅପଡେଟ ଅନୁଯାୟୀ, ଦୀର୍ଘ ସମୟ ଧରି ଉପବାସ ଏବଂ ଡିହାଇଡ୍ରେଶନ (ଶରୀରରେ ଜଳୀୟ ଅଂଶ କମିବା) ଯୋଗୁ ସୋନମ ୱାଙ୍ଗଚୁକ ଦୁର୍ବଳ ହୋଇଯାଇଛନ୍ତି। କିନ୍ତୁ ତାଙ୍କ ଅବସ୍ଥା ସ୍ଥିର ରହିଛି। ତେବେ ଡାକ୍ତରଖାନା ସ୍ପଷ୍ଟ କରିଛି ଯେ ଶରୀରର ପାରାମିଟରଗୁଡ଼ିକୁ ସ୍ବାଭାବିକ କରିବା ପାଇଁ ଚିକିତ୍ସା ଏବଂ ନିରୀକ୍ଷଣ ଜରୁରୀ ଅଟେ।

ଏହି ସମୟରେ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ କହିଛନ୍ତି ଯେ ତାଙ୍କ ଅନୁମତି ବିନା ୱାଙ୍ଗଚୁକଙ୍କର କୌଣସି ପ୍ରକାରର ଚିକିତ୍ସା କରାଯିବା ଉଚିତ୍‌ ନୁହେଁ।

ଗୀତାଞ୍ଜଳି ଆଙ୍ଗମୋ ସମ୍ବାଦ ସଂସ୍ଥା ‘ପିଟିଆଇ’ କୁ କହିଛନ୍ତି ଯେ, “ମୁଁ ସଫଦରଜଙ୍ଗ ହସ୍ପିଟାଲରେ ଅଛି। ମୁଁ ସ୍ପଷ୍ଟ ଭାବେ କହୁଛି ଯେ ମୋ ଅନୁମତି ବିନା ତାଙ୍କୁ କୌଣସି ଔଷଧ ଦିଆନଯାଉ କିମ୍ବା କୌଣସି ଚିକିତ୍ସା କରାନଯାଉ। ମୋ ସହମତି ବିନା କୌଣସି ଚିକିତ୍ସା ଆରମ୍ଭ ହେବା ଉଚିତ୍‌ ନୁହେଁ। ଯଦି କିଛି ବି ଅଘଟଣ ଘଟେ, ତେବେ ମୁଁ ସମସ୍ତଙ୍କୁ ଦାୟୀ କରିବି।”

Odisha’s No.1 Odia Daily

Share