ଜିଦ୍‌ରେ ଅଟଳ ସୋନମ ୱାଙ୍ଗଚୁକ: କହିଲେ- ମୋତେ ଅନଶନ ଭାଙ୍ଗିବାକୁ କୁହନ୍ତୁ ନାହିଁ…

ନୂଆଦିଲ୍ଲୀ,୧୬।୭: ଜନ୍ତର-ମନ୍ତରଠାରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଭୋକ ଉପବାସରେ ବସିଥିବା ସାମାଜିକ କର୍ମୀ ତଥା ଶିକ୍ଷା ସଂସ୍କାରବାଦୀ ସୋନମ ୱାଙ୍ଗଚୁକଙ୍କ ଅନଶନ ଗୁରୁବାର ୧୯ ଦିନରେ ପ୍ରବେଶ କରିଛି। କ୍ରମାଗତ ଉପବାସ ଯୋଗୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି, କିନ୍ତୁ ସେ ବର୍ତ୍ତମାନ ନିଜର ଅନଶନ ଶେଷ କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଏହାସହ ତାଙ୍କୁ ଅନଶନ ଭାଙ୍ଗିବାକୁ ଅନୁରୋଧ ନକରି ଆସନ୍ତା ଜୁଲାଇ ୨୦ ତାରିଖରେ ହେବାକୁ ଥିବା “ଚଲୋ ସଂସଦ” ମାର୍ଚ୍ଚରେ ସାମିଲ ହେବା ପାଇଁ ସେ ନିଜ ସମର୍ଥକମାନଙ୍କୁ ଆହ୍‌ବାନ କରିଛନ୍ତି।

ବିଳମ୍ବିତ ରାତିରେ ଜାରି ହୋଇଥିବା ଏକ ଭିଡିଓ ବାର୍ତ୍ତାରେ ସୋନମ ୱାଙ୍ଗଚୁକ କହିଛନ୍ତି, “ମୁଁ ସମ୍ପୂର୍ଣ୍ଣ ସୁସ୍ଥ ନାହିଁ, କିନ୍ତୁ ମୋ ସ୍ଥିତି ସେତେଟା ଖରାପ ବି ନାହିଁ।” ତାଙ୍କ ଶରୀର ନିଶ୍ଚିତ ଭାବେ ଦୁର୍ବଳ ହୋଇଯାଇଛି, ହେଲେ ତାଙ୍କ ସଂକଳ୍ପ ଏବେ ବି ଦୃଢ଼ ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

ସାମ୍ନାକୁ ଆସିଥିବା ତାଜା ମେଡିକାଲ ବୁଲେଟିନ ଅନୁଯାୟୀ, ୫୯ ବର୍ଷୀୟ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟ ଉପରେ ଡାକ୍ତରମାନେ ନିରନ୍ତର ନଜର ରଖିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ଓଜନ ୪୦୦ ଗ୍ରାମ ହ୍ରାସ ପାଇଛି ଏବଂ ଅନଶନ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ ପ୍ରାୟ ୮.୯ କିଲୋଗ୍ରାମ ଓଜନ କମିଗଲାଣି। ବର୍ତ୍ତମାନ ତାଙ୍କ ଓଜନ ୫୭.୧୫ କିଲୋଗ୍ରାମ ରେକର୍ଡ କରାଯାଇଛି।

 

Odisha’s No.1 Odia Daily

Share