Categories: ଜାତୀୟ

ସୋନାଲି ଫୋଗଟ ମୃତ୍ୟୁ ଘଟଣା: ପୁଣି ସିବିଆଇ ତଦନ୍ତ ଦାବି କଲେ ଝିଅ

ନୂଆଦିଲ୍ଲୀ,୧୧।୯: ଅଭିନେତ୍ରୀ ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ରହସ୍ୟଜନକ ମୃତ୍ୟୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ଘଟଣାରେ ଗୋଆ ପୋଲିସ ହତ୍ୟା ମାମଲା ରୁଜୁ କରିଛି। ଗୋଆ ପୋଲିସ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନଙ୍କୁ ଗିରଫ କରିଛି। ତେବେ ସୋନାଲିଙ୍କ ପରିବାର ସଦସ୍ୟ ପୋଲିସର ତଦନ୍ତରେ ଖୁସି ନାହାନ୍ତି। ରବିବାର ସୋନାଲିଙ୍କ ଝିଅ ଯଶୋଦରା ପୁଣି ଥରେ ସିବିଆଇ ତଦନ୍ତ ଦାବି କରିଛନ୍ତି।
ଯଶୋଧରା କହିଛନ୍ତି, ଆମେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଛୁ। ବର୍ତ୍ତମାନ ସରକାରଙ୍କ ଠାରୁ ଆମର କୌଣସି ଭରସା ନାହିଁ କିମ୍ବା ସେମାନଙ୍କଠାରୁ କୌଣସି ନିଶ୍ଚିତତା ପାଇନାହୁଁ। ହରିୟାଣାର ହିସାରରେ ଏକ ଖାପ ପଞ୍ଚାୟତ ଯଶୋଧରା ଏହା କହିଥିଲେ। ସୋନାଲିଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବିରେ ଖାପ ପଞ୍ଚାୟତ ସଂଗଠିତ ହୋଇଥିଲା। କିଛି ଦିନ ପୂର୍ବରୁ ଯଶୋଧରା ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖି ମା’ଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯିବା ଉଚିତ ବୋଲି କହିଥିଲେ।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୩ରେ ସୋନାଲି ଫୋଗଟଙ୍କ ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା।

Share