ଜନ୍ମକଲା ବାପାଙ୍କୁ ଟାଙ୍ଗିଆରେ ହାଣି ଲହୁଲୁହାଣ କଲେ ପୁଅ, ଧରାଧରି କରିବାକୁ ଆସି ଯୁବକ…

ଝାରସୁଗୁଡ଼ା/ଲଖନପୁର,୨୯ା୫(ଆଶିଷ ରଞ୍ଜନ ଦାଶ/ଗୌତମ ସାହୁ): ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ କୁଡ଼ାବଗା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ପୁଅ ନିଜ ଜନ୍ମକଲା ବାପାଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ଲହୁଲୁହାଣ କରିଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଆସି ଗାଁର ଅନ୍ୟ ଜଣେ ଯୁବକ ମଧ୍ୟ ଗୁରୁତର ହୋଇଛନ୍ତି।

ସୂଚନାନୁଯାୟୀ, କୁଡ଼ାବଗା ଗ୍ରାମର ଛନ୍ଦାଚରଣ ମଲ୍ଲିକ କୌଣସି କାରଣରୁ ଉତ୍କ୍ଷିପ୍ତ ହୋଇ ଏକ ଧାରୁଆ ଟାଙ୍ଗିଆରେ ନିଜ ବାପା ଥଣ୍ଡାରାମ ମଲ୍ଲିକଙ୍କ ବେକକୁ ଆକ୍ରମଣ କରିଥିଲେ। ଏହି ସମୟରେ ଗାଁର ଯୁବକ ନିରଞ୍ଜନ ବଗାର ବାପାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିବାରୁ, ଅଭିଯୁକ୍ତ ପୁଅ ତାଙ୍କୁ ମଧ୍ୟ ସାଙ୍ଘାତିକ ଭାବେ ଆକ୍ରମଣ କରିଥିଲେ। ଫଳରେ ଉଭୟ ଥଣ୍ଡାରାମ ଓ ନିରଞ୍ଜନ ପ୍ରବଳ ରକ୍ତସ୍ରାବ ଯୋଗୁ ଗୁରୁତର ହୋଇପଡ଼ିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ଉଭୟ ଆହତଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ବର୍ତ୍ତମାନ ସେଠାରେ ଦୁଇ ଜଣଙ୍କ ଚିକିତ୍ସା ଜାରି ରହିଛି।
ଅପରପକ୍ଷରେ, ଖବର ପାଇ ରେଙ୍ଗାଲି ଥାନା ପୋଲିସ ତୁରନ୍ତ କୁଡ଼ାବଗା ଗ୍ରାମରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି। ପାରିବାରିକ ଶତ୍ରୁତା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ସେ ନେଇ ପୋଲିସ ବିଭିନ୍ନ ଦିଗରୁ ପଚରାଉଚରା ଚଳାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

Dharitri – Odisha’s No.1 Odia Daily

Share
Tags: axefatherson