ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ ଶୁକ୍ରବାର ସନ୍ଧ୍ୟାରେ ଏକ ଶିଶୁପୁତ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କେହି ଜଣେ ଅଜ୍ଞାତ ବ୍ୟକ୍ତି କ୍ଷୀର ବୋତଲ ସହ କପଡ଼ାରେ ଗୁଡ଼ାଇ ଶିଶୁଟିକୁ ମନ୍ଦିର ପରିସରରେ ଛାଡ଼ି ଚାଲିଯାଇଥିବା ସନ୍ଦେହ କରାଯାଇଛି। ଶିଶୁ ଟିର କାନ୍ଦ ଶୁଣି କିଛି ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରିବା
ସହ ଜକର ପଞ୍ଚାୟତ ସରପଞ୍ଚ ରଶ୍ମିତା କୁମାରୀ ପ୍ରଧାନ ଙ୍କୁ ଜଣାଇଥିଲେ। ସରପଞ୍ଚ ଙ୍କ ପରାମର୍ଶ କ୍ରମେ ସାମାଜିକ କର୍ମୀ ମନୋଜ କୁମାର ପ୍ରଧାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କେ. ନୂଆଗାଁ ଥାନା ଆଇଆଇସି ବିଶ୍ୱଜିତ ନାୟକଙ୍କୁ ସମୁଦାୟ ଘଟଣା ଜଣାଇଥିଲେ।ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଶିଶୁପୁତ୍ର ଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ପୋଲିସ ଏନେଇ ତଦନ୍ତ ଚଳାଇଛି।