ମା’ଙ୍କ ଅନ୍ତିମସଂସ୍କାର କରିବାକୁ ମନା କଲେ ସିଙ୍ଗାପୁରରେ ଥିବା ପୁଅ; କୋକେଇକୁ କାନ୍ଧ ଦେଲା ପୋଲିସ; ଆଉ…

ନୂଆଦିଲ୍ଲୀ,୨୪।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଦିନ କେଇଟାରେ ଦୈନିକ ସଂକ୍ରମଣ ରେକର୍ଡସ୍ତରରେ ପହଞ୍ଚୁଥିବା ଅନେକଙ୍କୁ ଚିନ୍ତାରେ ପକାଇଛି। ସେହିଭଳି ମୃତକଙ୍କ ସଂଖ୍ୟା ମଧ୍ୟ ଲଗାତାର ଭାବେ ବଢ଼ୁଛି। କେହି କେହି ନିଜ ପରିଜନଙ୍କୁ ହରାଇ ଭାବବିହ୍ବଳ ହେଉଥିବା ବେଳେ କିଛି ଶ୍ମଶାନରୁ ଚିତା ଲିଭୁ ନ ଥିବା ଭଳି ଖବର ସାମ୍ନାକୁ ଆସୁଛି। ଏପରିସ୍ଥଳେ କିଛି ସ୍ଥାନରୁ ମାନବିକତା ଆଜି ବି ବଞ୍ଚିଥିବା ଦେଖିବାକୁ ମିଳୁଛି। ସେଭଳି କିଛି କରିଛି ଦିଲ୍ଲୀ ପୋଲିସ। କରୋନାରେ ସଂକ୍ରମିତ ହେବା ପରେ ଜଣେ ୭୧ ବର୍ଷୀୟ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପୁଅ ସିଙ୍ଗାପୁରରେ ରହୁଥିବା ବେଳେ ମା’ଙ୍କ ଅନ୍ତିମସଂସ୍କାରରେ ଯୋଗଦେବାକୁ ମନା କରିଦେଇଥିଲେ। ଏହାଜାଣି ପୋଲିସକର୍ମୀମାନେ ବୃଦ୍ଧାଙ୍କ ପୁଅ ହୋଇ ଶେଷକୃତ୍ୟ ସମ୍ପନ୍ନ କରିଥିବା ଜଣାପଡ଼ିଛି।

ଦିଲ୍ଲୀର ଜଙ୍ଗପୁରାର ଏହି ଘଟଣା। ଏଠାରେ ରହୁଥିବା ସୁରେନ୍ଦ୍ର କୌରଙ୍କ ମୃତ୍ୟୁ କରୋନାରେ ହୋଇଥିଲା। ସେ ଟିକା ନେଇଥିଲେ। ଏହାପରଠାରୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ପୁଅ ସିଙ୍ଗାପୁରରେ ରହୁଥିଲେ ହେଁ କରୋନା ଭୟରେ ଭାରତ ଆସିବାକୁ ମନା କରିଦେଇଥିଲେ। ଏହାପରେ ତାଙ୍କର ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ କରୋନାରେ ମୃତ୍ୟୁ ହୋଇଥିବା ଜାଣିବା ପରେ ସେମାନେ ମଧ୍ୟ ଅନୁରୂପ କରିଥିଲେ। ଶେଷରେ ଜଙ୍ଗପୁରାର ପୋଲିସ ଷ୍ଟେଶନର ଅନେକ ପୋଲିସକର୍ମୀ ଆଗକୁ ଆସିଥିଲେ। ସେମାନେ ପହଞ୍ଚି ବୃଦ୍ଧାଙ୍କ କୋକେଇକୁ କାନ୍ଧ ଦେଇଥିଲେ। ଲୋଧି କଲୋନୀ ଶ୍ମଶାନ ଘାଟରେ ସମ୍ପୂର୍ଣ୍ଣ ରୀତିନୀତିରେ ଅନ୍ତିମ ସଂସ୍କାର କରାଯାଇଥିଲା।ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଲୋକେ ପୋଲିସଙ୍କ ଏହି କାମକୁ ପ୍ରଶଂସା କରୁଛନ୍ତି।

Share