ଦାରିଙ୍ଗବାଡି, ୧୨।୫ (ଅରୁଣ ସାହୁ):ନିଶା ସେବନ କରି ଘରକୁ ଫେରିଥିଲେ ଜଣେ ବୃଦ୍ଧ। ଆଉ ନିଶା ସେବନକୁ ପୁଅ ବିରୋଧ କରିବାରୁ ବୃଦ୍ଧ ବାପା କୀଟନାଶକ ପିଇଦେଇ ଆତ୍ମହତ୍ୟା କରିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ବାଲୁବାଙ୍ଗା ଗାଁରେ। ମୃତକ ହେଲେ ଉକ୍ତ ଗ୍ରାମର ସୀତାରାମ ନାୟକ (୬୨)।
ପ୍ରକାଶ ଯେ, ପ୍ରତିଦିନ ଭଳି ସୋମବାର ସନ୍ଧ୍ୟାରେ ସୀତାରାମ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲେ ବାପାଙ୍କୁ ନିଶା ଅବସ୍ଥାରେ ପୁଅ ମୁରଲୀ ନାୟକ ଦେଖି ଏହାକୁ ବିରୋଧ କରିବା ସହ ମଦ ପିଇବାକୁ ବାରଣ କରିବା ସହ ଭଲ ପରାମର୍ଶ ଦେଇଥିଲେ। ଏଥିରେ ବୃଦ୍ଧ ବାପା ଉତକ୍ଷିପ୍ତ ହୋଇ କୋବି ଚାଷରେ ପକାଇବାକୁ ଘରେ ରଖାଯାଇଥିବା କୀଟନାଶକକୁ ପିଇଦେଇଥିଲେ ବୋଲି ପୁଅ ମୁରଲୀ କହିଛନ୍ତି। ତାଙ୍କୁ ତୁରନ୍ତ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଅନ୍ୟତ୍ର ଅଧିକା ଚିକିତ୍ସା କରିବାକୁ ନେବାକୁ ପରାମର୍ଶ ଦେଇଥିଲେ। ପୁଅ ମୁରଲୀ ବାପାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଉଥିବାବେଳେ ଅଧାବାଟରେ ବାପାଙ୍କ ଜୀବନ ଚାଲିଗଲା ବୋଲି ପ୍ରତିକ୍ରିୟାରେ କହିଛନ୍ତି। ସେ ମୃତଦେହ ନେଇ ଦାରିଙ୍ଗବାଡି ଫେରିବା ସହ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରେ ପୋଲିସ ଅଭିଯୋଗ ପାଇ ମୃତଦେହ ଜବତ କରିବା ସହ ବ୍ୟବଛେଦ କରାଇବ ବୋଲି ଆଇଆଇସି ସଂଗ୍ରାମ କେଶରୀ ଜେନା କହିଛନ୍ତି। ଏଥିସହ ଘଟଣାର ତଦନ୍ତ କରାଯିବ ବୋଲି ପୋଲିସ କହିବା ସହ ଏକ ଅପମୃତ୍ୟୁ ରୁଜୁ କରିଛି।