ପୁଅର ଶାବଳ ମାଡ଼ରେ ମା’ଙ୍କ ଜୀବନ ଗଲା

କେନ୍ଦୁଝର,୮ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ବନବିହାରୀପୁର ନୂଆଗାଁ ମୁଣ୍ଡା ସାହିରେ ଜଣେ ନିଶାଶକ୍ତ ପୁଅ ବିଧବା ମା’ଙ୍କୁ ଶାବଳରେ ପିଟି ହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୃତକ ଜଣକ ହେଲେ ଟୁଲେଇ ମୁଣ୍ଡା(୬୦)। ପୋଲିସ ଅଭିଯୁକ୍ତ ପୁଅ ଡବୁରୁ ମୁଣ୍ଡାଙ୍କୁ ଅଟକ ରଖି ପଚରାଉଚରା କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

ସୂଚନାନୁଯାୟୀ, ମଙ୍ଗଳବାର ରାତିରେ ଡବରୁ ନିଶାଶକ୍ତ ଅବସ୍ଥାରେ ଘରେ ପହଞ୍ଚିବା ପରେ ମା’ ଟୁଲେଇ ପୁଅର ଏପରି ଅବସ୍ଥା ଦେଖି ତାଗିଦ୍‌ କରିଥିଲେ। ଏହି ସମୟରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ନିଶାଶକ୍ତ ଅବସ୍ଥାରେ ଥିବା ଡବୁରୁ ଉତ୍‌କ୍ଷିପ୍ତ ହୋଇ ମା’ଙ୍କୁ ପିଟିଥିଲେ। ଏଥିରେ ମନ ବୁଝିଲାନି ଯେ, ଘରେ ଥିବା ଶାବଳ ଆଣି ମା’ଙ୍କ ମୁଣ୍ଡରେ ପିଟି ଦେଇଥିଲେ। ଫଳରେ ରକ୍ତାକ୍ତ ଅବସ୍ଥାରେ ତାଙ୍କର ଜୀବନ ଚାଲି ଯାଇଥିଲା। ବୁଧବାର ସକାଳେ ଘଟଣା ପ୍ରଘଟ ହେବା ପରେ ପୋଲିସ ପହଞ୍ଚି ଅଭିଯୁକ୍ତ ଡବୁରୁଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।