ମା’ଙ୍କ ଗଳାକୁ ବ୍ଲେଡରେ କାଟି ମାରିଦେଲା ପୁଅ

ବରପାଲି,୧୯।୪(ଡିଏନଏ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ମଙ୍ଗଳବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମା’ଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରି ଅଖାରେ ଭର୍ତ୍ତି କରିଦେଇଥିଲେ ପୁଅ।
ସୂଚନାଯୋଗ୍ୟ, କୁମ୍ଭାରୀ ଗ୍ରାମର ବନ୍ଧପଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବିଧବା ମା’ କୋଶଳା ସାହୁ (୬୦) ପୁଅ ବିଦ୍ୟାଧର ସାହୁ (୩୨) ସହ ରହୁଥିଲେ। ବିଦ୍ୟାଧର ବିବାହିତ ହେଲେ ମଧ୍ୟ ତାଙ୍କ ସ୍ତ୍ରୀ ବାପ ଘରେ ରହୁଛନ୍ତି । ମଙ୍ଗଳବାର ମଧ୍ୟାହ୍ନରେ ଉଭୟ ମା’ ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ସାମାନ୍ୟ ବଚସାରେ ଉତକ୍ଷିପ୍ତ ହୋଇ ବିଦ୍ୟାଧର ମା’ଙ୍କ ତଣ୍ଟିକୁ ବ୍ଲେଡରେ ବାରମ୍ବାର କାଟି ପକାଇଥିଲେ। ପରେ ମା’ଙ୍କୁ ଏକ ଅଖା ବସ୍ତାରେ ଭର୍ତ୍ତି କରି ଦେଇଥିଲେ । ହତ୍ୟା ପରେ ବ୍ୟବହୃତ ବ୍ଲେଡକୁ ସେ ଫୋପାଡି ଦେଇଥିବା ବିଦ୍ୟାଧର କହିଛନ୍ତି । ବରପାଲି ପୋଲିସ କୌଣସି ସୂତ୍ରରୁ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ବିଦ୍ୟାଧରଙ୍କୁ ଗିରଫ କରି ଥାନାକୁ ନେଇ ଥିବାବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଛି। ବିଦ୍ୟାଧର ମାନସିକ ବିକୃତିଗ୍ରସ୍ତ ବୋଲି ଗ୍ରାମବାସୀ କହିଛନ୍ତି। ଏହି ଘଟଣା ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି କରିଛି । ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଚଳାଇଛନ୍ତି ।