ଆଳି,୪ା୬(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ନାଟରା ଗ୍ରାମର ବାବନ ସେଠୀ(୪୫)ଙ୍କ ମୃତଦେହ ତାଙ୍କ ଶ୍ୱଶୁରଘର ମାନପୁର ଗାଁ ଚାଷଜମିରୁ ଜବତ କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ବାବନଙ୍କ ମା’ ଆଳି ଥାନାରେ ବୁଧବାର ଅଭିଯୋଗ କରିଛନ୍ତି। ଅପରପକ୍ଷେ ବାବନଙ୍କ ଶାଳକ ଶୁକଦେବ ସେଠୀ ପୋଲିସ ତଦନ୍ତ ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି। ଏ ନେଇ ଆଳି ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ. ୧୧/୨୬) ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।
ମୃତ ବାବନଙ୍କ ମା’ ସରସ୍ବତୀ ସେଠୀ ଆଳି ଥାନାରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅ ଥାନା ଅନ୍ତର୍ଗତ ମାନପୁର ଗ୍ରାମରେ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ବିବାହ କରିଛନ୍ତି। ସ୍ତ୍ରୀ ଓ ସ୍ବାମୀଙ୍କ ମଧ୍ୟରେ ତିକ୍ତତା ହେବାରୁ ବୋହୂ ତାଙ୍କ ବାପଘରେ ପ୍ରାୟ ବର୍ଷେ ହେବ ପିଲାଙ୍କୁ ନେଇ ରହୁଛନ୍ତି। ବାହାରେ କାମ କରୁଥିବା ବାବନ ୧୫ ଦିନ ହେବ ଘରକୁ ଆସିଥିଲେ। ଗତ ସୋମବାର ସେ ଶ୍ୱଶୁରଘର ମାନପୁର ଯାଇଥିଲେ। ୨ତାରିଖ ପିଲାଙ୍କୁ ଘରକୁ ଆଣିବେ ବୋଲି କହିଥିଲେ। ହେଲେ ଏହାକୁ ନେଇ ସେଠାରେ ତାଙ୍କୁ ଶ୍ୱଶୁରଘର ଲୋକେ ଗାଳିଗୁଲଜ କରିଥିବା ବାବନ ମା’ଙ୍କୁ କହିଥିଲେ। ତେଣୁ ଶ୍ୱଶୁରଘର ଲୋକେ ପୁଅକୁ ମାରି ଦେଇଥିବା ସରସ୍ବତୀ ଅଭିଯୋଗ ଆଣିଛନ୍ତି। ଅପରପକ୍ଷେ ମୃତକଙ୍କ ଶାଳକ ଶୁକଦେବ ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ ବାବନ ଓ ତାଙ୍କ ଭଉଣୀଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ଲାଗି ରହୁଥିଲା। ଫଳରେ ସେ ବର୍ଷେ ହେବ ଭଉଣୀ ଓ ଭାଣିଜୀଙ୍କୁ ମାନପୁରରେ ଛାଡି ବିଦେଶ ଚାଲି ଯାଇଥିଲେ। ବର୍ଷକ ମଧ୍ୟରେ ସେ ୩/୪ ଥର ମାନପୁର ଆସିଛନ୍ତି। ଦୁଇ ମାସ ମଧ୍ୟରେ ସେ ମାନପୁର ଆସିନାହାନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଗ୍ରାମର କେତେଜଣ ଚାଷୀ ବିଲକୁ ଯାଇଥିବା ବେଳେ ବାବନଙ୍କ ମୃତଦେହ ସେଠାରେ ପଡ଼ିଥିବା ଦେଖି ଖବର ଦେଇଥିଲେ। ପୋଲିସକୁ ଖବର ଦେଇ ଶୁକଦେବଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଆଳି ମେଡିକାଲକୁ ଆଣିଥିଲେ। ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।