ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ହତ୍ୟାର ଶିକାର ବ୍ୟକ୍ତି ହେଲେ କେ. ଭଗବାନ ରେଡ୍ଡୀ। ଏହି ମାମଲାରେ ଅଭିଯୁକ୍ତ ତଥା ସାହିର କେ. ଲିଙ୍ଗା ରେଡ୍ଡୀ ଓ ତାଙ୍କ ପତ୍ନୀ କେ. ଲକ୍ଷ୍ମୀ ରେଡ୍ଡୀଙ୍କୁ ପୋଲିସ ଗିରଫ କରିଛି।
ବ୍ରହ୍ମପୁର ଏସପିଡ଼ା ସର୍ବନା ବିବେକ ଏମ ଦେଇଥିବା ସୂଚନା ଅନୁସାରେ, ରେଡିକା ସାହିର କେ. ଲିଙ୍ଗା ରେଡ୍ଡୀ ନିଜ ସ୍ତ୍ରୀ କେ. ଲକ୍ଷ୍ମୀ ରେଡ୍ଡୀ, ବୃଦ୍ଧା ମା’ ପାରୁ ରେଡ୍ଡୀ ଓ ତିନି ଝିଅଙ୍କ ସହ ରହୁଥିଲେ। ତେବେ ପଡୋଶୀ ଭାବେ ରହୁଥିବା ତାଙ୍କ ଜ୍ୱାଇଁ କେ. ଭଗବାନ ରେଡ୍ଡୀ ଓ ତାଙ୍କ ସ୍ତ୍ରୀ ଜ୍ୟୋତି ରେଡ୍ଡୀ ବୃଦ୍ଧା ମା’ଙ୍କୁ ଖରାପ ବ୍ୟବହାର କରିବା ସହ ଅବହେଳା କରୁଥିବା ନେଇ ସେମାନେ ବିରୋଧ କରିଆସୁଥିଲେ। ଏପରିକି ବୃଦ୍ଧାଙ୍କୁ ନିର୍ଯାତନା ଦିଆଯାଉଥିବା ଭିଡିଓ ଓ ଫଟୋ ଉତ୍ତୋଳନ କରି କେ. ଭଗବାନ ଦୂରରେ ରହୁଥିବା ତାଙ୍କ ଶାଶୁ ପାରୁ ରେଡ୍ଡୀଙ୍କ ଅନ୍ୟ ଜଣେ ଝିଅ ପାଖକୁ ପଠାଇଥିଲେ। ଏହାକୁ କେନ୍ଦ୍ର କରି ଗୁରୁବାର ମଧ୍ୟରାତ୍ରିରେ ଉଭୟ ପରିବାର ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଓ ଝଗଡା ହୋଇଥିଲା। ପାଟିତୁଣ୍ଡ ପରେ ହିଂସାର ରୂପ ନେଇଥିଲା । ଲିଙ୍ଗା ରେଡ୍ଡୀ ଏକ ଛୁରା ସାହାଯ୍ୟରେ ତାଙ୍କ ଜ୍ୱାଇଁ ଭଗବାନ ରେଡ୍ଡୀଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଭଗବାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଆଇସିୟୁରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି । ଏ ନେଇ ବଡ଼ବଜାର ଥାନାରେ ଏକ ମାମଲା ରୁଜୁ ହୋଇଛି ।