ସ୍ତ୍ରୀଙ୍କୁ ହତ୍ୟାକରି ଶାଶୁଶ୍ୱଶୁରଙ୍କୁ ଭିଡିଓକଲ୍‌ରେ ଦେଖାଇଲେ ଜ୍ୱାଇଁ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବାଗଲକୋଟ୍‌, ୨୯।୭:କର୍ନାଟକର ବାଗଲକୋଟ୍‌ ଜିଲାରେ ପରକୀୟା ପ୍ରୀତି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ୩୨ ବର୍ଷୀୟା ସ୍ତ୍ରୀ ଭାଗ୍ୟଶ୍ରୀ ଜିଗାଲୁରଙ୍କୁ କାଠଫାଳିଆରେ ମାଡ଼ ମାରିବା ପରେ ଶାଢ଼ିରେ ଝୁଲାଇ ହତ୍ୟା କରିଛନ୍ତି। ସ୍ତ୍ରୀଙ୍କ ମୃତ୍ୟୁଯନ୍ତ୍ରଣା ଏବଂ ଛଟପଟ ହେବାର ଭିଡିଓ ପ୍ରସ୍ତୁତ କରି ଅଭିଯୁକ୍ତ ସ୍ବାମୀ ପ୍ରବୀଣ ଜିଗାଲୁର ତାହାକୁ ବନ୍ଧୁମାନଙ୍କ ସହ ଶେୟାର କରିବା ସହ ଝିଅର ହତ୍ୟାଦୃଶ୍ୟ ଭାଗ୍ୟଶ୍ରୀଙ୍କ ପିତାମାତାଙ୍କୁ ଭିଡିଓକଲ୍‌ କରି ଦେଖାଇଥିଲେ। ପ୍ରତିଦିନର ପାରିବାରିକ କଳହ ଯୋଗୁ ଭାଗ୍ୟଶ୍ରୀ ଗତ ଦୁଇ ମାସ ହେବ ବାପଘରେ ରହୁଥିଲେ। ମାତ୍ର ପ୍ରବୀଣ ତାଙ୍କୁ ଶାନ୍ତିରେ ରହିବାର ପ୍ରତିଶ୍ରୁତି ଦେଇ ଘରକୁ ଫେରାଇ ଆଣିଥିଲେ। କିନ୍ତୁ ସେହି ସନ୍ଧ୍ୟାରେ ହିଁ ସେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲେ। ଭାଇରାଲ ଭିଡିଓରେ ପୀଡ଼ିତା ଜଣକ ଏକ ଶାଢ଼ିରେ ଝୁଲୁଥିବା ଏବଂ ବେଡ ଉପରେ ସଂଘର୍ଷ କରୁଥିବା ନଜର ଆସିଛି। ପୋଲିସ ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

 

Dharitri – Odisha’s No.1 Odia Daily

 

Share