ଶ୍ୱଶୁର ଘରକୁ ବୁଲିବାକୁ ଆସି ନଦୀକୁ ଖସିପଡ଼ିଲେ ଜ୍ୱାଇଁ

ବାଲିଗୁଡ଼ା/କୋଟଗଡ଼,୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ/ ସରୋଜ ବଳିୟାରସିଂ): ପୋଲରୁ ନଦୀ ଗର୍ଭରେ ଖସିପଡ଼ି ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ଏପରି ଘଟଣା କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଲଣ୍ଡାଗାଁ ପଞ୍ଚାୟତର ମୁଠାବାଲି ଅଞ୍ଚଳରେ ଘଟିଛି। ନିଖୋଜ ବ୍ୟକ୍ତି କର୍ଣ୍ଣିବେଡ଼ା ଗ୍ରାମର ଚୈତନ୍ୟ ନାୟକ(୪୮) ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ଚୈତନ୍ୟ ଜନ୍ମାଷ୍ଟମୀ ଅବସରରେ ଶ୍ବଶୁର ଘର ମୁଠାବାଲି ଗ୍ରାମକୁ ବୁଲିବାକୁ ଆସିଥିଲେ। ଗୁରୁବାର ସକାଳେ ନିଜ ଗ୍ରାମକୁ ଫେରିବା ସମୟରେ ନିଶାସକ୍ତ ଅବସ୍ଥାରେ ମୁଠାବାଲି ଗ୍ରାମ ନିକଟସ୍ଥ ଖଡ଼ଗ ନଦୀ ଉପରେ ନବ ନିର୍ମିତ ପୋଲ ଉପରେ ଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ନଦୀ ଗର୍ଭକୁ ଖସିପଡ଼ି ନଦୀସ୍ରୋତରେ ଭାସି ଯାଇଥିଲେ। ଏ ସମ୍ପର୍କରେ ଖବରପାଇ ଅଞ୍ଚଳବାସୀ ସଙ୍ଗେ ସଙ୍ଗେ ପଡ଼ୋଶୀ ବୌଦ୍ଧ ଜିଲାର କଣ୍ଟାମାଳ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ କଣ୍ଟାମାଳ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଥିବା ଚୈତନ୍ୟଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ଗୁରୁବାର ଅପରାହ୍ନ ସୁଦ୍ଧା ନିଖୋଜ ତାଙ୍କୁ ଠାବ କରି ପାରି ନ ଥିବା ଜଣାପଡ଼ିଛି।