ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ ଖରା ଓ କାଳବୈଶାଖୀ ବର୍ଷା ପବନ ସମୟରେ ମଧ୍ୟ ଦୋକାନ ବାରଣ୍ଡାରେ ପଡିରହିଛୁ। ଦିବ୍ୟାଙ୍ଗ ଝିଅକୁ ଧରି ରାସ୍ତା କଡରେ ଅସୁରକ୍ଷିତ ଭାବେ ଥିବା ମା’ ଭାଗି କରାଡ (୬୧) ଛଳଛଳ ଆଖିରେ ତାଙ୍କର ଏହି ଦୁଃଖ ବଖାଣିଛନ୍ତି ।
ତାଙ୍କ କହିବା ପ୍ରକାରେ ପାରଳାଖେମୁଣ୍ଡି ରେଳଷ୍ଟେଶନ ନିକଟରେ ଥିବା ଶାନ୍ତି କଲୋନୀରେ ସେ ଓ ତାଙ୍କ ୨୦ ବର୍ଷିୟା ଦିବ୍ୟାଙ୍ଗ ଝିଅ ନିଜ ଘରେ ପୁଅବୋହୂଙ୍କ ପାଖରେ ରହିଆସୁଥିଲେ। ୨ ବର୍ଷ ପୂର୍ବରୁ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ପୁଅଙ୍କ ମଧ୍ୟରୁ ଜଣଙ୍କର ବର୍ଷକ ତଳେ ମୃତ୍ୟୁ ହୋଇଯାଇଛି । ଯୋଉ ପୁଅ ପାଖରେ ରହୁଥିଲି ସେ ଓ ବୋହୂ ବିଭିନ୍ନ ସମୟରେ କୌଣସି କାରଣ ନ ଥାଇ ଗଣ୍ଡଗୋଳ କରିଥାନ୍ତି। ଘରେ ସୁବବେଳେ ଅଶାନ୍ତି ଲାଗିରହେ। ୨୦ ଦିନ ପୂର୍ବେ ପୁଅବୋହୂ ଘରୁ ତଡିଦେଇଥିଲେ। ଏହି ବୟସରେ ଓ ପାଖରେ ଦିବ୍ୟାଙ୍ଗ ଝିଅ ଥିବାରୁ ଆଉ ଦୂର ସ୍ଥାନକୁ ଯିବାକୁ ସାହାସ କଲିନି ବୋଲି ବୃଦ୍ଧା ଭାଗି କହିଛନ୍ତି।

