ଖୁଡ଼ିଙ୍କ ଗଳା କାଟିଲେ ପୁତୁରା

ବାରିପଦା ଅଫିସ,୨।୮: ଜମିବାଡ଼ି ବିବାଦରୁ ବାସନ୍ତୀ ପୂର୍ତ୍ତି(୫୫) ନାମ୍ନୀ ଜଣେ ବିଧବାଙ୍କୁ ତାଙ୍କ ପୁତୁରା ଗଳା କାଟି ହତ୍ୟା କରିବା ଚର୍ଚ୍ଚାର ବିଷୟ ହୋଇଛି। ମୟୂରଭଞ୍ଜ ଜିଲା ରରୁଆଁ ଥାନା ଅଧୀନ ଟିଲୁ ସାହିରେ ଏହି ଘଟଣା ଘଟିଛି। ପୋଲିସ ଅଭିଯୁକ୍ତ ପୁତୁରା ମଧୁ ପୂର୍ତ୍ତି(୪୦)ଙ୍କୁ ଗିରଫ କରିଛି। ଏନେଇ ଥାନାରେ ଏକ ମାମଲା(ନଂ.୧୦୬/୨୧) ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ରବିବାର ରାତିରେ ପରିବାର ଲୋକେ ଖାଇ ଘର ଭିତରେ ଶୋଇଥିଲେ। ହେଲେ ବାସନ୍ତୀ ପିଣ୍ଡାରେ ଶୋଇଥିଲେ। ସେତିକିବେଳେ ମଧୁ ଏକ ଧାରୁଆ ଅସ୍ତ୍ରରେ ବାସନ୍ତୀଙ୍କ ଗଳା କାଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସୋମବାର ବାସନ୍ତୀଙ୍କ ମୃତଦେହ ପଡ଼ିଥିବା ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ସହ ଥାନା ଅଧିକାରୀ ଦୟାନିଧି ଦାସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।