ସଲମାନଙ୍କୁ ବିବାହ କରିବେ ବୋଲି ପାକିସ୍ତାନ ଛାଡ଼ି ଭାରତ ଚାଲି ଆସିଥିଲେ ଏହି ଅଭିନେତ୍ରୀ, ୮ ବର୍ଷ ଡେଟ୍‌ କରିବା ପରେ..

ବମ୍ବେ: ଅଭିନୟ ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସୁପରଷ୍ଟାର ସଲମାନ୍‌ ଖାନ୍‌। ବଲିଉଡ୍‌ର ଏହି ମୋଷ୍ଟ ଏଲିଜିବୁଲ୍‌ ବ୍ୟାଚଲର୍‌ ଏଯାଏ ହାତକୁ ଦୁଇ ହାତ ହୋଇନାହାନ୍ତି। ଭବିଷ୍ୟତରେ ତାଙ୍କର ଏଭଳି ଯୋଜନା ମଧ୍ୟ ନ ଥିବା କୁହାଯାଏ। ଏସବୁ ମଧ୍ୟରେ କିନ୍ତୁ ଅନେକ ନାୟିକାଙ୍କ ସହ ଯୋଡ଼ି ହୋଇଛି ତାଙ୍କ ନାମ। ସେଥିରୁ ଜଣେ ହେଲେ ସୋମି ଅଲି।

ନବେ ଦଶକରେ ବଲିଉଡ୍‌ରେ ପାଦ ରଖିଥିଲେ ସୋମି। କିଛି ଫିଲ୍ମରେ କାମ କରି ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ହେଲେ ସଲମାନଙ୍କ ସହ ସମ୍ପର୍କକୁ ନେଇ ସେ ଚର୍ଚ୍ଚାରେ ରହୁଥିଲେ। ଉଭୟ ୮ ବର୍ଷ ଯାଏ ପରସ୍ପରକୁ ଡେଟ୍‌ କରିଥିଲେ। ସୋମି ସଲମାନଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ। ମାତ୍ର ଅଭିନେତାଙ୍କ ଯୋଗୁ ତାହା ହୋଇ ପାରି ନ ଥିଲା। ଶେଷରେ ୧୯୯୯ରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଯାଇଥିଲା।

ନିକଟରେ ସୋମି ଏକ ସାକ୍ଷାତକାରରେ ସଲମାନଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି। ଅଭିନେତା ତାଙ୍କୁ ପ୍ରତାରଣା କରିବା ଯୋଗୁ ସେ ବ୍ରେକ୍‌ଅପ୍‌ କରିବାକୁ ବାଧ୍ୟ ହୋଇଥିବା କହିଛନ୍ତି। ବ୍ରେକ୍‌ଅପ୍‌କୁ ୨୦ ବର୍ଷ ବିତିଥିବା ବେଳେ ଏବେ ପାଞ୍ଚ ବର୍ଷ ହେଲାଣି ସେ ତାଙ୍କ ସହ କଥା ହୋଇ ନାହାନ୍ତି। କାରଣ ସେମାନେ ପଛ କଥା ଭୁଲି ଆଗକୁ ବଢ଼ି ସାରିଛନ୍ତି।

ପାକିସ୍ତାନରେ ଜନ୍ମିତ ସୋମି ସଲମାନଙ୍କ ଫିଲ୍ମ ଦେଖି ତାଙ୍କର ପ୍ରଶଂସକ ପାଲଟିଥିଲେ। ପରେ ସେ ତାଙ୍କୁ ଭେଟିବାକୁ ଭାରତ ଆସିଥିଲେ। ସେତେବେଳେ ତାଙ୍କୁ ୧୬ ବର୍ଷ ହୋଇଥିବା ସତ୍ତ୍ୱେ ସେ ଅଭିନେତାଙ୍କୁ ବିବାହ କରିବେ ବୋଲି ନିଶ୍ଚିତ କରିଥିଲେ। ହେଲେ ତାହା ସତ ହୋଇ ପାରି ନ ଥିଲା।

Share