ସୋମପୁର-କିଶୋର ନଗର ରାସ୍ତା ବିପର୍ଯ୍ୟସ୍ତ

କଟକ ସଦର,୧୧ା୯(ସୁଶାନ୍ତ କୁମାର ଜେନା): କଟକ ସଦର ବ୍ଲକ ଅନ୍ତର୍ଗତ ସୋମପୁର-କିଶୋର ନଗର ରାସ୍ତାର କେଶନଗର ବଜାର ନିକଟ କିଛି ଅଂଶରେ ପାଣି ଜମି ରହି ପ୍ରବଳ କାଦୁଅ ହୋଇଛି। ଏଥିଯୋଗୁ ଯାତାୟାତରେ ଅସୁବିଧା ହେଉଛି। ଏହାର ପ୍ରତିବାଦରେ ରବିବାର କେତେଜଣ ଲୋକ କାଦୁଅରେ ଧାନ ତଳି ରୋଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ। ଏଥିପାଇଁ କିଛି ସମୟ ଧରି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଉକ୍ତ ରାସ୍ତାର ୭ କିମିରୁ ମାତ୍ର ୧୦୦ ଫୁଟ ଅଂଶକୁ ପିଚୁ କିମ୍ବା କଂକ୍ରିଟ କରାଯାଇପାରୁନାହିଁ। କାରଣ ସେତିକି ଜାଗା ବ୍ୟକ୍ତିଗତ ମାଲିକାନାରେ ରହିଛି। ଯେତେବେଳେ ରାସ୍ତା ପାଇଁ ଟଙ୍କା ଖର୍ଚ୍ଚ ହେଉଛି, ସେତେବେଳେ ଏହି ଅଂଶରେ ସମ୍ପୃକ୍ତ ଜମି ମାଲିକ କାମ କରାଇ ଦେଉନାହାନ୍ତି। ଅପରପକ୍ଷରେ ରାଜସ୍ବ କିମ୍ବା ପୂର୍ତ୍ତ ବିଭାଗର ଅଧିକାରୀକମାନେ ଔପଚାରିକ ଭାବେ ଜମି ମାଲିକ ପୂର୍ଣ୍ଣଚନ୍ଦ୍ର ମଣ୍ଡଳଙ୍କ ସହ କଥାବାର୍ତ୍ତା କରିନାହାନ୍ତି ବୋଲି ସେ କହିଛନ୍ତି। କେଶ ନଗର ମୌଜାରେ ବଜାର ପାଖ ଜମି ଗୁଣ୍ଠ ପିଛା ୨୦ରୁ ୨୫ ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ଏଭଳି ପରିସ୍ଥିତିରେ ଶାଗମାଛ ଦରରେ ମୂଲ୍ୟବାନ ଜମି ଦେଇପାରିବି ନାହିଁ ବୋଲି ମଣ୍ଡଳ କହିଛନ୍ତି। ପ୍ରତି ୨/୩ ବର୍ଷ ଅନ୍ତରାଳରେ ପୂର୍ତ୍ତ ବିଭାଗ ମରାମତି ଓ ପ୍ରଶସ୍ତୀକରଣ ପାଇଁ ଅର୍ଥ ମଞ୍ଜୁର କରୁଥିବାବେଳେ ପୁରୁଣା ସମସ୍ୟାକୁ ଦୂର କରିବା ପାଇଁ ଫଳପ୍ରଦ ଉଦ୍ୟମ କରାଯାଉନାହିଁ ବୋଲି ସ୍ଥାନୀୟ ଲୋକେ କିଶନନଗର ତହସିଲଦାର ମଧୁସୂଦନ ନାୟକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପ୍ରଶାସନ-ଜମି ମାଲିକଙ୍କ ମଧ୍ୟରେ ଫଳପ୍ରଦ ଆଲୋଚନା ହେଲେ ସମାଧାନର ବାଟ ବାହାରି ପାରନ୍ତା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଏ ସମ୍ପର୍କରେ ତହସିଲଦାର ନାୟକ କହିଛନ୍ତି, ଏବେ ରାସ୍ତା ମରାମତି ପାଇଁ ଅର୍ଥ ମଞ୍ଜୁର କରାଯାଇଥିବାରୁ ପ୍ରଶାସନିକ ସ୍ତରରେ ଯାହାକିଛି ପଦକ୍ଷେପ ନିଆଯିବ।