ଗଞ୍ଜାମରୁ ସୋମନାଥ ମନ୍ଦିର ଯାତ୍ରା: ଶୁଭାରମ୍ଭ କଲେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୪।୬ (ଦିଲ୍ଲୀପ ସାମଲ): ‘ସୋମନାଥ ସ୍ୱାଭିମାନ ଯାତ୍ରା’ ଅଭିଯାନରେ ଗଞ୍ଜାମ ଜିଲାର ୫୨ ଜଣ ତୀର୍ଥଯାତ୍ରୀ ଶନିବାର ଛତ୍ରପୁର ନୂଆ ବସ୍‌ଷ୍ଟାଣ୍ଡରୁ ଗୁଜରାଟସ୍ଥିତ ପବିତ୍ର ସୋମନାଥ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।

ଏହି ଯାତ୍ରାର ଶୁଭାରମ୍ଭ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ପତାକା ଦେଖାଇ କରିଥିଲେ। ଏହି ଅବସରରେ ସେ ସମସ୍ତ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ସେମାନଙ୍କ ଯାତ୍ରା ସଫଳ ଓ ମଙ୍ଗଳମୟ ହେଉ ବୋଲି କାମନା କରିଥିଲେ।

ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ସୁନୀଲ କେର୍କେଟା, ଜିଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

‘ସୋମନାଥ ସ୍ୱାଭିମାନ ଯାତ୍ରା’ ମାଧ୍ୟମରେ ତୀର୍ଥଯାତ୍ରୀମାନେ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଆଧ୍ୟାତ୍ମିକ ପରମ୍ପରା ଓ ଐତିହାସିକ ଗୁରୁତ୍ୱ ବହନ କରୁଥିବା ପ୍ରସିଦ୍ଧ ସୋମନାଥ ଧାମ ଦର୍ଶନ କରିବାର ସୁଯୋଗ ପାଇବେ। ଏହି ଯାତ୍ରା ତୀର୍ଥଯାତ୍ରୀମାନଙ୍କ ମନରେ ଧାର୍ମିକ ଭାବନାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ତୀର୍ଥଯାତ୍ରୀମାନଙ୍କ ସୁରକ୍ଷିତ ଯାତ୍ରା, ରହଣି ଏବଂ ଦର୍ଶନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଏଥିପାଇଁ ତୀର୍ଥଯାତ୍ରୀମାନେ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ‘ସୋମନାଥ ସ୍ୱାଭିମାନ ଯାତ୍ରା’ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ତୀର୍ଥଯାତ୍ରା କାର୍ଯ୍ୟକ୍ରମ, ଯାହା ମାଧ୍ୟମରେ ବିଭିନ୍ନ ଜିଲାର ଶ୍ରଦ୍ଧାଳୁମାନେ ଦେଶର ପ୍ରମୁଖ ଧାର୍ମିକ ସ୍ଥଳ ପରିଦର୍ଶନ କରିବାର ସୁଯୋଗ ପାଉଛନ୍ତି।

Dharitri – Odisha’s No.1 Odia Daily

Share