Categories: ଜାତୀୟ

ଗାନ୍ଧୀ ପରିବାର ବାହାରୁ ହୋଇପାରନ୍ତି କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ, ୮।୮: କଂଗ୍ରେସ ସଂଗଠନରେ ଖୁବ୍‌ଶୀଘ୍ର ବଡ଼ ପରିବର୍ତ୍ତନ ନେଇ ବିଚାରବିମର୍ଶ ଚାଲିଛି। ସାଧାରଣ ସମ୍ପାଦକ ଏବଂ ରଜ୍ୟ ପ୍ରଭାରୀ ସ୍ତରରେ ଅଦଳବଦଳ ହେବା ସହ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟଭାର ଲାଘବ କରିବା ପାଇଁ ଜଣେ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତି ଦେବା ଲାଗି ଚିନ୍ତା କରାଯାଉଛି। ଉତ୍ତର ଭାରତରୁ ଜଣେ ହିନ୍ଦୀଭାଷୀ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇପାରେ। ସେମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂ, କମଲ ନାଥ ଏବଂ ହରିୟାଣାର ପୂର୍ବତନ ସିଏମ୍‌ ଭୂପିନ୍ଦର ସିଂ ହୁଡ଼ାଙ୍କ ନାଁ ଉଠୁଛି। ଏହା ବ୍ୟତୀତ ଚତୁର୍ଥ ବ୍ୟକ୍ତି ଭାବେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଥିବା ଗୁଲାମ ନବୀ ଆଜାଦଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ସର୍ବାଧିକ ଅଭିଜ୍ଞତା ଏବଂ ବିଭିନ୍ନ ରାଜନୈତିକ ଦଳ ସହ ଭଲ ସମ୍ପର୍କ ରଖିଥିବା କମଲନାଥ କାର୍ଯ୍ୟକାରୀ ସଭାପତି ହୋଇପାରନ୍ତି ବୋଲି କୁହାଯାଉଛି। ଅହମଦ ପଟେଲଙ୍କ ପରଲୋକ ପରେ କମଲନାଥ ଅଧିକାଂଶ ସମୟରେ ସୋନିଆ ଗାନ୍ଧୀଙ୍କୁ ଭେଟୁଛନ୍ତି। ଗତ ଡିସେମ୍ବରରେ ସୋନିଆଙ୍କ ସହ ଅସନ୍ତୁଷ୍ଟ ନେତାମାନଙ୍କ ବୈଠକ କରାଇବାରେ ସେ ମୁଖ୍ୟ ଭୂମିକା ନେଇଥିଲେ। ଅନ୍ୟପକ୍ଷରେ ଗତବର୍ଷ ସଂଗଠନକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସୋନିଆଙ୍କୁ ପତ୍ର ଲେଖିଥିବା ୨୩ କଂଗ୍ରେସ ନେତାଙ୍କ ମଧ୍ୟରେ ଭୂପିନ୍ଦର ସିଂ ହୁଡା ଏବଂ ଗୁଲାମ ନବୀ ଆଜାଦ ଥିଲେ।

Share