Categories: ଖେଳ

ଗାଙ୍ଗୁଲିଙ୍କୁ ରାଜନୀତିରେ କିଛି ଲୋକ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି: ସିପିଆଇ(ଏମ) ନେତା

କୋଲକତା,୪।୧:ପୂର୍ବତନ କ୍ରିକେଟର୍‌ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହୃଦଘାତ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁଯାୟୀ ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଏହି ସମୟରେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ରାଜନୀତି ଆରମ୍ଭ ହୋଇଛି। ସିପିଆଇ (ଏମ) ନେତା ଅଶୋକ ଭଟ୍ଟାଚାର୍ଯ୍ୟ କହିଛନ୍ତି, କିଛି ଲୋକ ଗାଙ୍ଗୁଲିଙ୍କୁ ରାଜନୀତିରେ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି। ଏହା ତାଙ୍କ ଉପରେ ଚାପ ପକାଇଥିଲା। ସେ ଜଣେ ରାଜନୈତିକ ବ୍ୟକ୍ତି ନୁହଁନ୍ତି। ସୌରଭ ଗାଙ୍ଗୁଲି ଏକ କ୍ରୀଡା ଆଇକନ ଭାବରେ ଜଣାଶୁଣା। ତେଣୁ ତାଙ୍କ ଉପରେ ବିଭିନ୍ନ ଦଳ ପକ୍ଷରୁ ଚାପ ପକାଯାଉଥିଲା ବୋଲି ସେ କହିଛନ୍ତି। ଅଶୋକ ଭଟ୍ଟାଚାର୍ଯ୍ୟ ସୌରଭ ଗାଙ୍ଗୁଲିଙ୍କର ଜଣେ ପୁରୁଣା ପାରିବାରିକ ବନ୍ଧୁ। ଗତ କିଛି ଦିନ ହେବ ଗାଙ୍ଗୁଲି ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଗୁଜବ ପ୍ରଚାରିତ ହେବା ପରେ ଅଶୋକ କହିଥିଲେ ଆମେ ଗାଙ୍ଗୁଲିଙ୍କୁ ରାଜନୀତିରେ ଯୋଗଦେବାକୁ ଚାପ ଦେବା ଉଚିତ୍‌ ନୁହେଁ। ଗତ ସପ୍ତାହରେ ଗାଙ୍ଗୁଲିଙ୍କୁ କହିଥିଲି ଯେ ସେ ରାଜନୀତିରେ ପ୍ରବେଶ କରନ୍ତୁ ନାହିଁ ଏବଂ ସେ ମୋତେ ବିରୋଧ ମଧ୍ୟ କରି ନ ଥିଲେ ବୋଲି ସେ କହିଛନ୍ତି। ଚଳିତ ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ ସମସ୍ତ ରାଜନୈତିିକ ଦଳ ସେଠାରେ ବ୍ୟସ୍ତ ଅଛନ୍ତି। ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗରେ ପ୍ରବଳ ପ୍ରଶଂସକ ଥିବାରୁ ସେ ଯେଉଁ ଦଳରେ ଯୋଗଦେବେ ସେହି ଦଳର ଫାଇଦା ହେବା। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦଳ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି।

 

Share