‘କିଛି ବିଦେଶୀ ଶକ୍ତି ରାଜ୍ୟ ସମ୍ପଦ ଲୁଟ୍‌ କରିବାକୁ ଚାହୁଁଛନ୍ତି’

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ଧାମନଗର ଉପନିର୍ବାଚନରେ ପରାଜୟ ପରେ ବିଜେଡିରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ବର୍ଷ ବର୍ଷ ଧରି ବିଭିନ୍ନ ପଦବୀରେ ଥିବା ପୁରୁଖା ନେତାମାନଙ୍କୁ ଦଳ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଦଳୀୟ ନେତାମାନେ ଖୋଲାଖୋଲି ବିରୋଧ କରୁ ନ ଥିଲେ ମଧ୍ୟ ବିଭିନ୍ନ ସଭା ସମିତିରେ ଦଳର ପ୍ରଭାବଶାଳୀ ଗୋଷ୍ଠୀଙ୍କୁ ପରୋକ୍ଷରେ ଇସାରା କଲେଣି। ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କ ବୟାନ ଦଳୀୟ ରାଜନୀତିକୁ ଉଷ୍ମ କରିଛି। ପୁରୀ ଜିଲା ବ୍ରହ୍ମଗିରି ସଦର ବ୍ଲକର ମାଳସାହିରେ ବିଜେଡି ପଦଯାତ୍ରା ଆୟୋଜନ କରି ସଞ୍ଜୟ କହିଛନ୍ତି ”କିଛି ବିଦେଶୀ ଶକ୍ତି ଚାହୁଁଛନ୍ତି ଓଡ଼ିଶାର ଖଣିଜ ସମ୍ପଦ, ପ୍ରାଚୁର୍ଯ୍ୟ, ରତ୍ନଭଣ୍ଡାର ସବୁକୁ ଲୁଣ୍ଠନ କରି ପଳେଇବେ। ମୁଁ କହିବାକୁ ଚାହେଁ ଏ ଜାତି ଭିତରେ କିଛି ଶିଖି ମନେଇ ଥିଲେ। ଯେଉଁମାନେ ସେହି ନିର୍ଜନ ରାତିରେ ବ୍ରିଟିଶଙ୍କୁ ଦେଖାଉଥିଲେ ତମେ ଏଇ ବାଟେ ଗଲେ ଓଡ଼ିଶାକୁ ଦଖଲ କରିବ। ଓଡ଼ିଶାରେ ଏବେ ଏଭଳି ଶକ୍ତିମାନେ ସକ୍ରିୟ ଅଛନ୍ତି। ସେମାନଙ୍କୁ ପରାହତ କରିବାକୁ ପଡ଼ିବ। ପ୍ରଥମେ ବିଧାୟକ ହେଲା ପରେ ମୋତେ ଉପମୁଖ୍ୟ ସଚେତକ ଦାୟିତ୍ୱ ଦିଆଯାଇଥିଲା। ଏହା ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଦକ୍ଷତା ବିକାଶ ମନ୍ତ୍ରୀ କରାଗଲା। ଗତ ନିର୍ବାଚନରେ ହାରିଗଲା ପରେ ଯୋଜନା ବୋର୍ଡର ଉପାଧ୍ୟକ୍ଷ କରାଯାଇଥିଲା। ଆଜି ସ୍ଥିତି ବଦଳି ଯାଇଛି। କିଛି ଲୋକ ଭାବୁଛନ୍ତି ଆମେ ଯାହା କରିବୁ, ଯାହା ନିଷ୍ପତ୍ତି ନେବୁ, ସମସ୍ତେ ତାକୁ ଗ୍ରହଣ କରିନେବେ। ସମୟ ଆସିଛି ଆମକୁ ସତର୍କ ରହିବାକୁ ପଡ଼ିବ। ବ୍ରହ୍ମଗିରି ବିକାଶକୁ ପଛକୁ ନେବାକୁ ଯେଉଁମାନେ ଷଡ଼ଯନ୍ତ୍ର କରୁଛନ୍ତି ତା’ର ଉଚିତ ଜବାବ ଏଇ ଜାଗାରୁ ଦିଆଯିବ। କିନ୍ତୁ ମୁଁ କହି ରଖିବାକୁ ଚାହେଁ ଆମେ ଯେଉଁମାନେ ପ୍ରବାଦପୁରୁଷ ବିଜୁବାବୁଙ୍କ ସ୍ବାଭିମାନ ସହିତ ଆନ୍ଦୋଳନରେ ବ୍ରତୀ ଥିଲୁ ମରିଯିବୁ ପଛେ ସାଲିସ କରିବୁ ନାହିଁ।“
ଏଠାରେ ସୂଚନାଯୋଗ୍ୟ, ଦାସବର୍ମା ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଖାଦ୍ୟ ଯୋଗାଣ, ଦକ୍ଷତା ବିକାଶ ମନ୍ତ୍ରୀ ଥିଲେ। ୨୦୧୯ରେ ନିର୍ବାଚନ ହାରିଯିବା ପରେ ବି ତାଙ୍କୁ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା। ନିକଟରେ ରାଜ୍ୟ ସରକାର ସମସ୍ତ ନିଗମ ଓ ବୋର୍ଡକୁ ଭାଙ୍ଗି ଦେଇ ପୁନଃ ନିଯୁକ୍ତି ଦେଇଛନ୍ତି। ମାତ୍ର ଦାସବର୍ମାଙ୍କୁ କୌଣସି ପଦପଦବୀ ମିଳି ନାହିଁ। ସଞ୍ଜୟଙ୍କ ଏଭଳି ବୟାନ ଦଳର ପ୍ରଭାବଶାଳୀ ଗୋଷ୍ଠୀଙ୍କୁ ପରୋକ୍ଷରେ ଇଙ୍ଗିତ କରୁଥିବା ନେଇ ଚର୍ଚ୍ଚା ହେଉଛି।