Categories: ଜାତୀୟ

ସମାଧାନ ରାସ୍ତାରେ ହୁଏ ନାହିଁ: ଅମିତ ଶାହା

ନୂଆଦିଲ୍ଲୀ,୧୪।୧୨: ମହାରାଷ୍ଟ୍ର ଏବଂ କର୍ନାଟକ ମଧ୍ୟରେ ଚାଲିଥିବା ସୀମା ବିବାଦ ମଧ୍ୟରେ ବୁଧବାର ଦିଲ୍ଲୀର ସଂସଦ ଗୃହରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ବୈଠକରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଉପସ୍ଥିତ ଥିଲେ। ଏହି ବୈଠକରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ମଧ୍ୟ ସାମିଲ ହୋଇଥିଲେ।
ବୈଠରେ ଅମିତ ଶାହା କହିଛନ୍ତି, ରାଜନୈତିକ ବିରୋଧ ଯାହା ବି ହୋଇପାରେ, ଉଭୟ ରାଜ୍ୟର ନେତା ଏହାକୁ ରାଜନୈତିକ ପ୍ରସଙ୍ଗ କରିବା ଉଚିତ ନୁହେଁ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଆମେ ଅପେକ୍ଷା କରିବା ଉଚିତ୍‌। ଏହାକୁ ରାଜନୈତିକ ପ୍ରସଙ୍ଗ ନ କରିବାରେ କଂଗ୍ରେସ, ଏନସିପି ଏବଂ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ସହଯୋଗ କରିବେ। ମାମଲାର ସମାଧାନ ପାଇଁ ଏକ କମିଟି ଗଠନ କରାଯାଇଛି। ରାସ୍ତାରେ ବିବାଦର ସମାଧାନ ହୁଏ ନାହିଁ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପର୍ଯ୍ୟନ୍ତ କୌଣସି ରାଜ୍ୟ ପରସ୍ପରକୁ ଦୋଷ ଦେଇପାରିବେ ନାହିଁ। କମିଟି ଏବଂ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ।
ଶାହା ଆହୁରି ମଧ୍ୟ କହିଛନ୍ତି, ଉଭୟ ମୁଖ୍ୟମନ୍ତ୍ରୀ ଏକ ସକାରାତ୍ମକ ଆଭିମୁଖ୍ୟ ରଖିଛନ୍ତି। ସମ୍ବିଧାନ ଅନୁଯାୟୀ ମାମଲାର ସମାଧାନ କରାଯାଇପାରିବ ବୋଲି ଉଭୟ ସହମତ ହୋଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ହୋଇଥିବାରୁ ମୁଁ ଉଭୟ ରାଜ୍ୟର ବିରୋଧୀଦଳର ନେତାମାନଙ୍କୁ ମଧ୍ୟ ନିବେଦନ କରୁଛି ଯେ, ଏହି ପ୍ରସଙ୍ଗକୁ ସେମାନେ ରାଜନୈତିକ ରଙ୍ଗ ନ ଦେଇ ସହଯୋଗ କରିବେ।
ସୂଚନାଯୋଗ୍ୟ, ମହାରାଷ୍ଟ୍ର କର୍ନାଟକର ପାଞ୍ଚଟି ଜିଲାର ୮୬୫ଟି ଗ୍ରାମ ନିଜର ବୋଲି ଦାବି କରୁଛି। ଏହି ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ଅଛି। ନିକଟରେ ସୀମା ବିବାଦକୁ ନେଇ ଉଭୟ ରାଜ୍ୟରେ ଅନେକ ଆଲୋଡ଼ନ ଦେଖାଦେଇଛି।

Share