ସୋଲୋମନ୍‌ ଆଇଲାଣ୍ଡ୍‌ସ ଯିବେ ପିଏଲ୍‌ଏ ସୈନ୍ୟ

ବେଜିଂ/ହୋନିଆରା,୨୦ା୪: ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସୋଲୋମନ୍‌ ଆଇଲାଣ୍ଡ୍‌ସ ସହ ଚାଇନା ଏକ ସୁରକ୍ଷା ଚୁକ୍ତିରେ ସ୍ବାକ୍ଷର କରିଛି। ଉଭୟ ରାଷ୍ଟ୍ରର ବହିର୍ବ୍ୟାପାର ମନ୍ତ୍ରୀ ନିକଟରେ ସୁରକ୍ଷା ସହଭାଗିତା ଚୁକ୍ତିନାମାରେ ସ୍ବାକ୍ଷର କରିଥିବା ନେଇ ଚାଇନା ମୁଖପାତ୍ର ଓ୍ବାଙ୍ଗ୍‌ ଓ୍ବେନ୍‌ବିନ୍‌ ସୂଚନା ଦେଇଛନ୍ତି। ଡିଲ୍‌ ଅନୁସାରେ ସଙ୍କଟ ଦେଇ ଗତି କରୁଥିବା ଦ୍ୱୀପରାଷ୍ଟ୍ର ସୋଲୋମନ୍‌ରେ ଚାଇନା ନିଜ କ୍ଷେପଣାସ୍ତ୍ର ଓ ଯୁଦ୍ଧଜାହାଜ ମୁତୟନ କରିପାରିବ। ଏପରି କି ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟ ଓ ସଶସ୍ତ୍ର ପୋଲିସ ମଧ୍ୟ ନିଜ ଜାହାଜକୁ ସୁରକ୍ଷା ଦେବା ପାଇଁ ସେଠାରେ ଥିବା ଚାଇନାର ସେନାଘାଟିଗୁଡ଼ିକୁ ଯିବେ। ଏହି ବିଷୟ ଚୁକ୍ତିନାମାର ଚିଠାରେ ଉଲ୍ଲେଖ ଥିବା ନେଇ ଗତମାସରେ ପ୍ରଘଟ ହୋଇଥିଲା, ଯାହାକି ପାଶ୍ଚାତ୍ୟ ପାଇଁ ଚିନ୍ତା ବୃଦ୍ଧିର କାରଣ ସାଜିଛି।
ସୋଲୋମନ୍‌ ଆଇଲାଣ୍ଡ୍‌ସ ସହ ଚାଇନାର ଚୁକ୍ତିନାମା ପରେ ଚୁକ୍ତିନାମା ପରେ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ବେଜିଂର ସାମରିକ ବଳ ବୃଦ୍ଧି ଘଟିପାରେ। ଇଣ୍ଡୋ-ପାସିଫିକ୍‌ ମେଣ୍ଟ ଅକସ୍‌ର ଶକ୍ତି ଓ ପ୍ରଭାବକୁ ଅଣଦେଖା କରି ସୋଲୋମନ୍‌ ପ୍ରଧାନମନ୍ତ୍ରୀ ମାନାସେହ ସୋଗାଭରେ ନେଇଥିବା ଏହି ନିଷ୍ପତ୍ତି ଉପରେ ବିଶେଷକରି ଆମେରିକା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଆପତ୍ତି ଉଠାଇଛନ୍ତି।

Share