ସୋଲୋଗାମୀ, ନିଜ ସହିତ ନିଜର ବିବାହ କ୍ରେଜ୍‌ ବଢୁଛି, ନିଜଠୁ ନେଇ ହେବ କି ଛାଡ଼ପତ୍ର ?…

ନୂଆଦିଲ୍ଲୀ, ୫।୬ : ସୋଲୋଗାମୀ ଅର୍ଥ ହେଉଛି ନିଜ ସହିତ ନିଜର ବିବାହ କରିବା। ଯେଉଁମାନେ ଅନ୍ୟ କାହାକୁ ବିବାହ କରି ସେମାନଙ୍କର ସ୍ବାଧୀନତାକୁ ନଷ୍ଟ କରିବାକୁ ଚାହୁଁନାହାଁନ୍ତି, ସେମାନେ ସୋଲୋଗାମୀ ବିବାହକୁ ବାଛି ନେୁଛନ୍ତି। ଧିରେ ଧିରେ ଏଭଳି ବିବାହର କ୍ରେଜ୍‌ ବଢ଼ିବାରେ ଲାଗିଛି। ବିଦେଶରେ ଏହା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। କିନ୍ତୁ ଏହା ଭାରତର ଲୋକଙ୍କ ପାଇଁ ଏକ ନୂଆ ଧାରଣା।

ଗୁଜୁରାଟର ବଡୋଦରାରେ ରହୁଥିବା କ୍ଷମା ବିନ୍ଦୁ ବୋଧହୁଏ ଦେଶର ପ୍ରଥମ ମହିଳା ହେବାକୁ ଯାଉଛନ୍ତି ଯିଏ ନିଜକୁ ନିଜେ ବିବାହ କରିବେ। ଜୁନ୧୧ ରେ, ସେ ଏକ ସମାରୋହରେ ନିଜ ସହିତ ବିବାହ କରିବେ।

ଭାରତ ଭଳି ଦେଶରେ ବର୍ତ୍ତମାନ ଏଭଳି ନୂଆ ଧାରଣା ବିଷୟରେ ଲୋକଙ୍କ ମଧ୍ୟରେ ଅନେକ ପ୍ରକାରର କୌତୁହଳ ସୃଷ୍ଟି ହେବାରେ ଲାଗିଛି। ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ ଏହିପରି ବିବାହର ଅର୍ଥ କ’ଣ? ଏହାର ଭବିଷ୍ୟତ କ’ଣ? ନିଜକୁ ବିବାହ କରିବା ଆଇନଗତ କି ନୁହେଁ? ଏବଂ ଆହୁରି ଅନେକ ପ୍ରଶ୍ନ । ଏଥିରୁ ଏକ ବଡ ପ୍ରଶ୍ନ ମଧ୍ୟ ପଚରାଯାଉଛି ଯେ ଯେଉଁମାନେ ନିଜକୁ ବିବାହ କରନ୍ତି, ସେମାନେ ମଧ୍ୟ ନିଜଠାରୁ ଛାଡପତ୍ର ହୋଇପାରିବେ କି? ଏତେ ସବୁ ପ୍ରଶ୍ନ ମଧ୍ୟରେ ଭାରତରେ ସୋଲୋଗାମୀକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ସୋଲୋଗାମୀ ବିବାହ ନବେ ଦଶକରେ ଆରମ୍ଭ ହୋଇଥିଲା। ରେକର୍ଡ ତଥ୍ୟ ଅନୁଯାୟୀ, ୧୯୯୩ ରେ ସୋଲୋଗାମୀର ପ୍ରଥମ ମାମଲା ରିପୋର୍ଟ କରା ଯାଇଥିଲା। ଲୀଣ୍ଡା ବେକର ନାମକ ଜଣେ ମହିଳା ନିଜକୁ ବିବାହ କରିଥିଲେ। ଏହି ବିବାହରେ ପ୍ରାୟ ୭୫ ଜଣ ଅତିଥି ଯୋଗ ଦେଇଥିଲେ। ସେବେଠାରୁ ଏହାର ଧାରା ଜାରି ରହିଛି। ସାଧାରଣତଃ ମହିଳାମାନେ ଏଭଳି ବିବାହ ଅଧିକ କରୁଛନ୍ତି।

ସାଧାରଣ ବିବାହରେ, ଯଦି ଦୁଇ ସାଥୀ ରାଜି ନ ହୁଅନ୍ତି, ତେବେ ସେମାନଙ୍କର ବିବାହ ବିଚ୍ଛେଦ ଛାଡପତ୍ରରେ ହୋଇଥାଏ। ବ୍ୟକ୍ତିଗତ ସମ୍ମତି ଦ୍ୱାରା କୋର୍ଟରେ ଛାଡପତ୍ର ମଧ୍ୟ କରାଯାଇଥାଏ। କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ଛାଡପତ୍ର ପରି ମାମଲା ସୋଲୋଗାମୀରେ ମଧ୍ୟ ଘଟି ପାରିବ କି? ଯଦିଓ ସୋଲୋଗାମୀ ଆଇନଗତ ଭାବରେ ସ୍ବୀକୃତିପ୍ରାପ୍ତ ନୁହେଁ, ତେବେ ବ୍ରାଜିଲର ମଡେଲ କ୍ରିସ ଗାଲେରା ନିଜକୁ ବିବାହ କରିବା ପରେ ଛାଡପତ୍ର ମଧ୍ୟ ଦେଇଛନ୍ତି।

Share