୨ହଜାର ଟଙ୍କାରେ ଦୁଇ ପିଲାଙ୍କୁ ବିକିଥିଲେ

ନୀଳଗିରି,୨୩।୯(ସ୍ବ.ପ୍ର): ଦାରିଦ୍ର୍ୟର କଷାଘାତରେ ଏକ ଦମ୍ପତି ସେମାନଙ୍କ ଦୁଇ ଶିଶୁଙ୍କୁ ମାତ୍ର ୨ ହଜାର ଟଙ୍କାରେ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେବା ଘଟଣା ପଦାକୁ ଆସିଛି। ଏହା ଜଣାପଡ଼ିବା ପରେ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି। ଗୁରୁବାର ପୋଲିସ ପହଞ୍ଚି ଶିଶୁ ଦ୍ୱୟଙ୍କୁ ଉଦ୍ଧାର କରିବା ସହ ଚାଇଲ୍ଡଲାଇନ୍‌ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି। ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଅସ୍ତିଆ ପାଟଣା ଗାଁର ଶ୍ୟାମ ହାଁସଦାଙ୍କ ଦୁଇ ସ୍ତ୍ରୀ ଥିଲେ। ଦୁଇ ସ୍ତ୍ରୀଙ୍କ ଦୁଇ ପୁତ୍ର ସନ୍ତାନ ଥିଲେ। ତେବେ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ବର୍ଷକ ତଳେ ଶ୍ୟାମ ତାଙ୍କର ଗୋଟିଏ ପୁଅକୁ ନୀଳଗିରି ଏନ୍‌ଏସି ଅଧୀନ ୧ନଂ. ୱାର୍ଡର ଷ୍ଟେଟ୍‌ ବ୍ୟାଙ୍କ ନିକଟରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ୧ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ପରେ ଶ୍ୟାମ ରୋଗାଗ୍ରସ୍ତ ହୋଇ ପଡ଼ିଥିଲେ। ତାଙ୍କ ଚିକିତ୍ସା ପାଇଁ ଅର୍ଥ ଅଭାବରୁ ଦ୍ୱିତୀୟ ସ୍ତ୍ରୀ ପାନ ହାଁସଦା ଅନ୍ୟ ଏକ ୮ବର୍ଷର ପୁଅକୁ ମଧ୍ୟ ସେହି ବ୍ୟକ୍ତିଙ୍କୁ ହଜାରେ ଟଙ୍କାରେ ବିକ୍ରି କରିଦେଇଥିଲେ। ଗତ କିଛି ମାସ ତଳେ ଶ୍ୟାମଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ତେବେ ଗୁରୁବାର

ପାନ ହାଁସଦା ଏହି ପିଲା ବିକ୍ରି କଥା ଗାଁ ଲୋକଙ୍କୁ ଜଣାଇବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶତାଧିକ ଲୋକ ଏକତ୍ରିତ ହୋଇ ପିଲା କିଣିଥିବା ବ୍ୟକ୍ତିଙ୍କ ଘରକୁ ଯାଇ ଗୋଟିଏ ପୁଅକୁ ଉଦ୍ଧାର କରିଥିଲେ। ପରେ ନୀଳଗିରି ପୋଲିସ ପହଞ୍ଚିି ଅନ୍ୟ ଜଣଙ୍କୁ ଉଦ୍ଧାର କରିଥିଲା।