ସୋଲାର ଜଳ ପ୍ରକଳ୍ପ ଅଚଳ

ଅମରପାଲି,୨୮।୪(ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତର ଅମାତପାଲି ଗ୍ରାମରେ ଦୀର୍ଘ ୧୫ଦିନ ହେଲା ସୋଲାର ଜଳ ପ୍ରକଳ୍ପ ଅଚଳ ହୋଇ ପଡିଛି। ଫଳରେ ଗ୍ରାମରେ ଦେଖାଦେଇଛି ପାନୀୟ ଜଳ ସଙ୍କଟ। ଅମାତପାଲି ଗ୍ରାମ ପଞ୍ଚାୟତର ଗୋଟିଏ ୱାର୍ଡ ବିଶିଷ୍ଟ ଗ୍ରାମ । ଗ୍ରାମରେ ୭୦-୮୦ ପରିବାର ବସବାସ କରନ୍ତି। ଗ୍ରାମର ଲୋକେ ଗ୍ରାମରେ ଥିବା ପୋଖରୀ ଓ ନଳକୂପଗୁଡିକ ଉପରେ ନିର୍ଭର କରନ୍ତି। ସଂପ୍ରତି ଗ୍ରୀଷ୍ଣ ପ୍ରବାହ ଯୋଗୁ ଗ୍ରାମର ଜଳାଶୟ ଓ ପୋଖରୀଗୁଡିକ ଶୁଖି ଯାଇଛି। ଏପରି କି ଗ୍ରାମରେ ଥିବା ନଳକୂପଗୁଡିକ ମଧ୍ୟରୁ କେତେକ ନଳକୂପରୁ ଆବଶ୍ୟକ ଠାରୁ କମ ପାଣି ବାହାରୁ ଥିବା ବେଳେ ଆଉ କେତେକରୁ ବ୍ୟବହାର ଅନୁପଯୋଗୀ ପାଣି ବାହାରୁଛି। ତେଣୁ ଗ୍ରାମବାସୀ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି। ଗ୍ରାମର ଲୋକେ ପାନୀୟ ଜଳ ଠାରୁ ଆରମ୍ଭ କରି ସ୍ନାନ ଶୌଚ, ରୋଷେଇବାସ ଆଦି କାମ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୃହପାଳିତ ପଶୁମାନେ ପାଣି ପାଇଁ ଡହକ ବିକଳ ହେଉଥିବା ଦେଖିବାକୁ ମିଳୁଛି। ଏଭଳିି ପରିସ୍ଥିତିରେ ପାନୀୟ ଜଳ ପ୍ରକଳ୍ପ ଅଚଳ ହେତୁ ଗ୍ରାମବାସୀ ବାଧ୍ୟ ହୋଇ କେତେଜଣ ବ୍ୟକ୍ତିଙ୍କ ଘରୁ ପାଣି ଆଣୁଛନ୍ତି। ଗ୍ରାମରେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଏକ ସୋଲାର ଜଳ ପ୍ରକଳ୍ପ କରାଯାଇଥିଲା। ସୋଲାର ପ୍ଲେଟ ଲଗା ଯାଇଥିବା ବେଳେ ପାଣିଟାଙ୍କି ଲଗାଯାଇଥିଲା। ଫଳରେ ପାନୀୟ ଜଳ ସମସ୍ୟା ନ ଥିଲା। ଏବେ ପ୍ରକଳ୍ପ ଅଚଳ ହେତୁ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ଏନେଇ ଗ୍ରାମବାସୀ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ା ବୀରମହାରାଜପୁର ବିଡିଓ ମୋତିଲାଲ ସୁଲିଆ ସ୍ଥାନୀୟ ସରପଞ୍ଚଙ୍କୁ ଯଥାଶୀଘ୍ର ଏହି ପ୍ରକଳ୍ପ ମରାମତି କରି କାର୍ଯ୍ୟକ୍ଷମ କରିବାକୁ କହିଛନ୍ତି। ଯଥାଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।