ସୋଲାର ସିଷ୍ଟମ ନଳକୂପ ଅଚଳ

ଝୁମ୍ପୁରା, ୨।୧(ଡି.ଏନ.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ପାହାଡ଼ିଆ ଅଞ୍ଚଳରେ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଗଭୀର ନଳକୂପ କରି ସୋଲାର ସିଷ୍ଟମ ଜରିଆରେ ପାଣି ଉଠାଯାଇ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। କିନ୍ତୁ ସୋଲାର ସିଷ୍ଟମ ଅଚଳ ହେବାରୁ ଲୋକେ ପାଣି ପାଉନାହାନ୍ତି। ୨ବର୍ଷ ହେଲା ଏହି ଯୋଜନା ମାଧ୍ୟମରେ ଝୁମ୍ପୁରା ବ୍ଲକର ପାହାଡିଆ ଅଞ୍ଚଳ ମଲଦା, ନୟାଗଡ, ବସନ୍ତପୁର, କୁଟୁଗାଁ, ନିଶ୍ଚିନ୍ତପୁର ପଞ୍ଚାୟତର ବହୁ ଗ୍ରାମକୁ ପାନୀୟ ଜଳ ଯୋଗାଇ ଦେବାପାଇଁ ସୋଲାର ସିଷ୍ଟମ ନଳକୂପ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି। ସୂଚନା ଅନୁଯାୟୀ ଏହି ସବୁ ଅଞ୍ଚଳରେ ୨୦୦ରୁ ଊର୍ଦ୍ଧ୍ୱ ଗଭୀର ନଳକୂପ କରାଯାଇ ସୋଲାର ସିଷ୍ଟମ କରାଯାଇଛି। ପ୍ରତି ସୋଲାର ସିଷ୍ଟମ ନଳକୂପ ପାଇଁ ଜିଲା ଖଣିଜ ପାଣ୍ଠିରୁ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଛି ।
ଏକ କମ୍ପାନୀ ଟେଣ୍ଡର ଜରିଆରେ ସୋଲାର ସିଷ୍ଟମ ନଳକୂପ କାମ କରିଥିବା ବେଳେ ୨ବର୍ଷ ତଳର ଯୋଜନା ଏବେ ମଧ୍ୟ ମଲଦା ପଞ୍ଚାୟତରେ ଅଧାପନ୍ତରିଆ ହୋଇ ପଡିରହିଥିବା ଅଭିଯୋଗ ହୋଇଛି। ଉକ୍ତ ସୋଲାର ସିଷ୍ଟମ ଖରାପ ହେଲେ କେହି ଶୁଣିବାକୁ ନାହାନ୍ତି ବୋଲି ଗାଁ ଲୋକେ କହିଛନ୍ତି। ୫/୬ଟି ସୋଲାର ସିଷ୍ଟମ ଖରାପ ନ ହେଲା ପର୍ଯ୍ୟନ୍ତ କମ୍ପାନୀ ଲୋକ ସଜାଡିବା ପାଇଁ ଆସନ୍ତି ନାହିଁ ବୋଲି କହିଛନ୍ତି। ପାହାଡ ମୁଲକର ଲୋକେ ବାଧ୍ୟ ହୋଇ ପୁଣି ସେହି ଚୁଆପାଣିକୁ ବ୍ୟବହାର କରନ୍ତି। ସେହିପରି କୁଟୁଗାଁ ପଞ୍ଚାୟତର ବ୍ରାହ୍ମଣୀଝରୀ ଗାଁରେ ୧ମାସ ହେଲା ୨ଟି ସୋଲାର ସିଷ୍ଟମ ନଳକୂପ ଖରାପ ହୋଇଥିବା ଯୋଗୁ ଗ୍ରାମବାସୀ ପାନୀୟଜଳ ପାଇଁ ହଇରାଣ ହେଉଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀ ଶୁଭସ୍ମିତା ଖମାରୀ କହିଛନ୍ତି ଯେ, ମୁଁ ଜିଲା ବିଭାଗୀୟ କାର୍ଯ୍ୟାଳୟକୁ ଜଣାଇ ଦେଇଛି। ତେବେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର କେନ୍ଦୁଝରସ୍ଥିତ ନିର୍ବାହୀ ଯନ୍ତ୍ରୀ ଦୟାନିଧି ସାହୁଙ୍କୁ ପଚାରିବାରୁ ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ କମ୍ପାନୀର ଟେକ୍ନିକାଲ ଲୋକଙ୍କୁ ଜଣାଇଦିଆ ଯାଇଛି। ଖରାପ ଥିବା ସୋଲାର ସିଷ୍ଟମ ନଳକୂପଗୁଡିକର ତୁରନ୍ତ ମରାମତି କରାଯିବ।