Categories: ଜାତୀୟ

୨୪ ଘଣ୍ଟାରେ ମାଡ଼ ହେବ ସୌରଝଡ଼: ପ୍ରଭାବିତ ହେବ ମୋବାଇଲରୁ ବିମାନ ସେବା

ନୂଆଦିଲ୍ଲୀ,୧୨।୭: ଏକ ଶକ୍ତିଶାଳୀ ସୌର ଝଡ଼ ଦ୍ରୁତ ବେଗରେ ପୃଥିବୀ ଆଡେ ମାଡ଼ିଆସୁଛି। ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଯେକୌଣସି ସମୟରେ ପୃଥିବୀକୁ ମାଡ଼ କରିବା ଆକଳନ କରାଯାଉଛି। ଏହାର ପ୍ରଭାବରେ ସାଟେଲାଇଟ୍‌, ଜିପିଏସ୍‌ ନାଭିଗେଶନ, ମୋବାଇଲ୍‌ ଫୋନ୍‌ ସିଗ୍‌ନାଲ ଏବଂ ସାଟେଲାଇଟ୍‌ ଟିଭି ସହ ବିଦ୍ୟୁତ୍‌ ସରବରାହ ପ୍ରଭାବିତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୋମବାର ସତର୍କ ସୂଚନା ଜାରି କରାଯାଇଛି।

ଜୁଲାଇ ୩ରେ ସୂର୍ଯ୍ୟର ଦକ୍ଷିଣ ଭାଗରେ ଏକ ବିସ୍ଫୋରଣ ହୋଇଥିଲା। ଏହି କାରଣରୁ ସୋଲାର ଫ୍ଲେୟାର ବା ସୌର କିରଣ ତୀବ୍ର ଗତିରେ ପୃଥିବୀ ଆଡେ ମାଡି ଆସୁଛି। ଆମେରିକା ମହାକାଶ ସଂସ୍ଥା ନାସାର ଆକଳନ ଅନୁଯାୟୀ ସୌର ଝଡ଼ ଘଣ୍ଟାପ୍ରତି ୧୬ ଲକ୍ଷ କିଲୋମିଟର ବେଗରେ ଆସୁଛି। ପୃଥିବୀ ନିକଟବର୍ତ୍ତୀ ହେବା ବେଳକୁ ବେଗ ଆହୁରି ବଢ଼ିପାରେ। ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ପ୍ରବେଶ କରିବା ପରେ ସାଟେଲାଇଟ୍‌ ସିଗ୍‌ନାଲ ପ୍ରଭାବିତ ହେବ। ଫଳରେ ଜିପିଏସ୍‌ ନେଭିଗେଶନ, ମୋବାଇଲ୍‌ ଫୋନ୍‌ ସିଗ୍‌ନାଲ ଏବଂ ସାଟେଲାଇଟ ଟିଭି ନେଟ୍‌ଓ୍ବର୍କରେ ସମସ୍ୟା ଦେଖାଦେବ ବୋଲି କୁହାଯାଇଛି। ପୃଥିବୀର ମ୍ୟାଗନେଟୋସ୍ପିୟରରେ ଭୂଚୁମ୍ବକୀୟ ଝଡ଼ ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ସୌର ଝଡ଼ ଯୋଗୁ ପୃଥିବୀର ବାହ୍ୟ ବାୟୁମଣ୍ଡଳ ଗରମ ହୋଇପାରେ। ଏହାର ପ୍ରଭାବ ମହାକାଶକୁ ପଠାଇଥିବା ସାଟେଲାଇଟ୍‌ ଉପରେ ମଧ୍ୟ ପଡ଼ିବ। ଫଳରେ ଜିପିଏସ୍‌ ସହାୟତାରେ ଚାଲୁଥିବା ବିମାନ, ଜାହାଜ, ମୋବାଇଲ ଫୋନ୍‌ ସେବା ବାଧାପ୍ରାପ୍ତ ହେବ ବୋଲି ସ୍ପେସ୍‌ ଓ୍ବେଦର ଡଟ୍‌ କମ୍‌ ପକ୍ଷରୁ କୁହାଯାଇଛି।

Share