ଖଜୁରିପଡ଼ା,୨୨ା୫ (ବିଦୁର ବେହେରା): କନ୍ଦମାଳ ଜିଲା ଖଜୁରିପଡ଼ା ବ୍ଲକ୍ ଗୁଦାରୀ ପାୟତ ୪ ନମ୍ବର ୱାର୍ଡ ଅନ୍ତର୍ଗତ ମଲିକ ସାହିରେ ପାନୀୟ ଜଳ ସମସ୍ୟା ଉଟ ରୂପ ଧାରଣ କରିଛି। ସାହିରେ ଦୀର୍ଘ ୪ ବର୍ଷ ତଳେ ଏକ ସୋଲାର ପାଣି ଟ୍ୟାଙ୍କ ବସାଯାଇଥିବା ବେଳେ ତାହା ମାତ୍ର ବର୍ଷେ ଚାଲି ଅଚଳ ହୋଇଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଏହାର ପାଇପ ଗୁଡ଼ିକ ଭାଙ୍ଗିରୁଜି ନଷ୍ଟ ହେବାକୁ ବସିଲାଣି। ଫଳରେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ପାନୀୟ ଜଳ ପାଇଁ ଚୁଆଁ ଉପରେ ନିର୍ଭର କରୁଛନ୍ତି।
ଖରା ଦିନେ ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଇଁ ସାହିବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଗ୍ରାମର ବିମଳ ଦିଗାଲ, ସୁଶୀଳା ଦିଗାଲ, କଇଁଫୁଲ ଦିଗାଲ, ଶରତ ଦିଗାଲ, ରୂପାଲି ଦିଗାଲ, କ୍ଷୀରୋଧା ଦିଗାଲ ଓ ଅଳି ଦିଗାଲ ପ୍ରମୁଖ ଅଭିଯୋଗ କରିଛନ୍ତି।
ସୋଲାର ପ୍ରକଳ୍ପର ତୁରନ୍ତ ମରାମତି କରି ଜଳ ଯୋଗାଣ ସ୍ବାଭାବିକ କରିବାକୁ ଗାମବାସୀ ଦାବି କରିଛନ୍ତି। ଏନେଇ ପାନୀୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଚରଣ ବେହେରା କହିଛନ୍ତି ଯେ, ମଲିକ ସାହିର ପାନୀୟ ଜଳ ସମସ୍ୟା ଓ ଅଭିଯୋଗ ସମ୍ପର୍କରେ ବିଭାଗ ଅବଗତ ଅଛି। ଏହାର ମରାମତି ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଶନିବାର ବିଭାଗୀୟ କର୍ମଚାରୀମାନେ ଉକ୍ତ ସ୍ଥାନକୁ ଯାଇ ଅଚଳ ପ୍ରକଳ୍ପର ମରାମତି କାର୍ଯ୍ୟ କରିବେ ବୋଲି ସେ ସୂଚନା ଦେଇଛନ୍ତି।