ମାଟି ଉଠାଣକୁ ନେଇ ତୁମୁଳକାଣ୍ଡ: ଥାନାରେ ପହଞ୍ଚିଲା ମାମଲ…

ଧର୍ମଶାଳା,୨୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ଶୁନାରି ମୌଜାରୁ ଅବୈଧ ଭାବେ ମାଟି ଉଠାଣ ହେଉଥିବା ବେଳେ ଏହାକୁ ବିରୋଧ କରିବାରୁ ଗଣ୍ଡଗୋଳ ଘଟିଛି। ଏହି ଘଟଣାରେ ଜଣେ ଯୁବକଙ୍କ ମୁଣ୍ଡ ଫାଟିଥିବା ବେଳେ ଅନ୍ୟାନ୍ୟ କିଛି ଲୋକ ଗୁରୁତର  ହୋଇଛନ୍ତି।

ଏହି ଘଟଣାକୁ ନେଇ ଧର୍ମଶାଳା ଥାନାରେ ଅଭିଯୋଗ ଦାଖଲ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତ ୨୩ ତାରିଖରେ ଏହି ପଞ୍ଚାୟତର ଖଡ଼ିପଡିଆ ଗ୍ରାମର କିଛି ବ୍ୟକ୍ତି ଶୁନାରି ମୌଜାରୁ ଟ୍ରାକ୍ଟର ଯୋଗେ ମାଟି ଉଠାଇ ନେଉଥିଲେ। ଏହାକୁ ଶୁନାରି ଗ୍ରାମବାସୀମାନେ “କାହାର ଅନୁମତିରେ ମାଟି ଉଠାଯାଉଛି” ବୋଲି ପ୍ରଶ୍ନ କରିଥିଲେ।

ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇ ମାଡ଼ପିଟ ଘଟିଥିଲା, ଯାହାରେ ଜଣେ ଯୁବକଙ୍କ ମୁଣ୍ଡ ଫାଟିଯାଇଥିଲା। ଏନେଇ ଧର୍ମଶାଳା ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ବୋଲି ଥାନା ଅଧିକାରୀ ଚିନ୍ମୟୀ ସାହୁ ସୂଚନା ଦେଇଛନ୍ତି।

ଅନ୍ୟପଟେ, ଶ୍ରୀନଗର ଆର୍‌ଆଇ ବିରଞ୍ଚି ନାରାୟଣ ବୋଇତାଇ କହିଛନ୍ତି ଯେ, ସେହି ସ୍ଥାନରୁ ବିନା ଅନୁମତିରେ ମାଟି ଉଠାଣ ହେଉଥିଲା। ଏଭଳି ଭାବେ ବିଭିନ୍ନ ସ୍ଥାନରୁ ବିନା ଅନୁମତିରେ ମାଟି ଉଠାଣ ଚାଲୁଥିବା ସତ୍ତ୍ୱେ ସ୍ଥାନୀୟ ତହସିଲ ପ୍ରଶାସନ ନିରବ ରହିଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏହା ଉପରେ ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।

&nb

Dharitri – Odisha’s No.1 Odia Daily

Share