କୁମ୍ଭାରୀପଦର ଭୂସ୍ଖଳନ ଘଟଣା: ପରୀକ୍ଷା ପାଇଁ ଗଲା ମାଟି, ପଥର

ଦାରିଙ୍ଗବାଡ଼ି,୨୨ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରୀପଦର ନିକଟରେ ଥିବା ପାହାଡ଼ ଭୁସ୍ଖଳନ ଘଟଣାରେ ଶନିବାର ବ୍ରହ୍ମପୁର ମାଇନ୍ସ ଏବଂ ଭୂତତ୍ତ୍ୱବିତ୍‌ ନିର୍ଦ୍ଦେଶାଳୟରୁ ଏକ ୪ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଭୂତତ୍ତ୍ୱବିତ୍‌ ଲାଜଓ୍ବନ୍ତି ଦେବୀଙ୍କ ସହ ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର, ତହସିଲଦାର ଡ. ଅଶୋକ କୁମାର ଦାସ, ହାତୀମୁଣ୍ଡା ସରପଞ୍ଚ ନବନିତା କପାଟପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ପାହାଡ଼ ପ୍ରଥମେ ତିତ୍‌ଲି ବାତ୍ୟା ସମୟରେ ଭୂସ୍ଖଳନ ହୋଇଥିଲା। ପୁଣି ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁ ଏକାଧିକ ଥର ଭୁସ୍ଖଳନ ଘଟିଛି। ପାହାଡ଼ରୁ ମାଟି ଅତଡ଼ା ଖସିବା ସହ ବଡ଼ ବଡ଼ ଗର୍ତ୍ତ ମଧ୍ୟ ସୃଷ୍ଟି ହୋଇଛି। ସେହିପରି ପାହାଡ଼ରେ ଥିବା ଏକ ଆମ୍ବ ଗଛ ପ୍ରାୟ ୩୦ ମିଟର ପର୍ଯ୍ୟନ୍ତ ଭୂସ୍ଖଳନରେ ଘୁଞ୍ଚି ଯାଇଛି। ସେହିପରି ବାଉଁଶ ଗଛଗୁଡ଼ିକ ମଧ୍ୟ ଘୁଞ୍ଚି ଅନ୍ୟତ୍ର ଯାଇଥିବା ଗ୍ରାମବାସୀ ଭୂତତ୍ତ୍ୱବିତ୍‌ଙ୍କୁ ଜଣାଇଥିଲେ। ଉକ୍ତ ଟିମ୍‌ ବୁଲିଦେଖିବା ସହ ଘାଟଣାସ୍ଥଳରୁ ମାଟି, ପଥର ସଂଗ୍ରହ କରି ନେଇଛନ୍ତି। ସେଗୁଡ଼ିକ ପରୀକ୍ଷା କରାଯିବା ପରେ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ବ୍ରହ୍ମପୁରରୁ ଆସିଥିବା ଭୂତତ୍ତ୍ୱବିତ୍‌ ଲାଜଓ୍ବନ୍ତି ଦେବୀ କହିଛନ୍ତି। ତେବେ ଗ୍ରାମବାସୀ ପ୍ରଶାସନର ପଦକ୍ଷେପକୁ ସ୍ବାଗତ ଜଣାଇବା ସହ ଶୀଘ୍ର ଏହାର ସମାଧାନର ବାଟ ବାହାର କରି ଗ୍ରାମବାସୀଙ୍କୁ ଅନ୍ୟତ୍ର ଥଇଥାନ କରିବାକୁ ଲୋକେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଗତମାସ ଲଗାଣ ବର୍ଷାରେ ଏକାଧିକ ଥର ଭୂସ୍ଖଳନ ଘଟିଥିବା ବେଳେ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର ୪ଶହ ଗ୍ରାମବାସୀଙ୍କୁ ନିକଟସ୍ଥ ତାମାଙ୍ଗି ବିଦ୍ୟାଳୟକୁ ଆଶ୍ରୟସ୍ଥଳୀ କରାଯାଇ ପଠାଯାଇଥିଲା। ଏବେ ସେମାନଙ୍କୁ ନିଜ ଗ୍ରାମକୁ ଫେରେଇ ନିଆଯାଇଛି।