ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ସ୍‌ରେ ୩ବର୍ଷର ସୋହିନୀ

ଖୋର୍ଦ୍ଧା/ ବାଲେଶ୍ୱର ଅଫିସ, ୧୫।୧୨- ଖୋର୍ଦ୍ଧା ଜିଲା କାଇମାଟିଆ ଗ୍ରାମର କମଳେନ୍ଦୁ ନାୟକ ଏବଂ ରଞ୍ଜନା ରାଣୀ ଦାସଙ୍କ ଝିଅ ସୋହିନୀ ନାୟକ। ବୟସ ୩ ବର୍ଷ ୭ ମାସ। ଏହି ବୟସରେ ପିଲାମାନେ ନାଚଗୀତ, ଖେଳକୁଦରେ ମସ୍‌ଗୁଲ ଥିବା ବେଳେ ସେ କିନ୍ତୁ ସମସ୍ତଙ୍କଠାରୁ ଟିକିଏ ନିଆରା। ନିକଟରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସ (ଆଇବିଆର)ରେ ସୋହିନୀଙ୍କ ନାମ ସ୍ଥାନ ପାଇଛି। ସଂସ୍ଥା ପକ୍ଷରୁ ସେ ମାନପତ୍ର, ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସୋହିନୀ ୧୪୩ଟି ଦେଶର ନାମ, ପର୍ଯ୍ୟାୟ ସାରଣୀର ମୌଳିକ (ଏଲିମେଣ୍ଟ୍‌ସ ଅଫ୍‌ ପିରିୟଡିକ ଟେବୁଲ) ଗୁଡିକର ନାମ, ୧୮ଟି ଭାରତୀୟ ଜାତୀୟ ସଙ୍କେତ, ସୌର ମଣ୍ଡଳ ଗ୍ରହଙ୍କ ଅବସ୍ଥିତି ପ୍ରାଞ୍ଜଳ ଭାବେ ବର୍ଣ୍ଣନା କହିପାରନ୍ତି। ଏଥିସହ ମାନଚିତ୍ର ଦେଖି ୮୩ଟି ଦେଶର ନାମ, ମଣିଷ ଶରୀରର ଅଙ୍ଗପ୍ରତ୍ୟଙ୍ଗ ନାମ କହିବା ସହ ସେମାନଙ୍କ କାର୍ଯ୍ୟ ବର୍ଣ୍ଣନା କରନ୍ତି। ସୋହିନୀ ଗିନିଜ୍‌ ଓ୍ବାଲର୍‌ଡ ରେକଡର୍‌ସରେ ସ୍ଥାନ ପାଇବା ଲାଗି ତାଙ୍କ ପରିବାର ଉଦ୍ୟମ ଜାରି ରଖିଛନ୍ତି। ବାପା କମଳେନ୍ଦୁ ନାୟକ, ମା’ ରଞ୍ଜନା, ଜେଜେବାପା ଭରତ ନାୟକ, ଜେଜେମା’ ପ୍ରତିମା କୁମାରୀ, ଅଜା ଅବସରପ୍ରାପ୍ତ ରୟାୟନ ବିଜ୍ଞାନ ଅଧ୍ୟାପକ ରବୀନ୍ଦ୍ର ନାଥ ଦାସ ଓ ଆଈ ଆନନ୍ଦିନୀ ସୋହିନୀଙ୍କ ବିସ୍ମୟ ପ୍ରତିଭାକୁ ପରଖିଥିଲେ। ଆଗାମୀ ଦିନରେ ସୋହିନୀ ‘ମ୍ୟାପ୍‌ର ଆଉଟ୍‌ଲାଇନ୍‌’ ବିଷୟକୁ ନେଇ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ଼ ନିମନ୍ତେ ପ୍ରସ୍ତୁତ ହେଉଥିବା ତାଙ୍କ ମା’ ସୂଚନା ଦେଇଛନ୍ତି।