Categories: ଜାତୀୟ

ଝିଅଙ୍କ ବିବାହ ବୟସ ବୃଦ୍ଧି ଆଇନ ଦ୍ୱାରା ସାମାଜିକ-ଆର୍ଥିକ ବିକାଶ ସମ୍ଭବ

ନୂଆଦିଲ୍ଲୀ, ୨୨।୧୦: ଦେଶରେ ମାତୃ ମୃତ୍ୟୁ ହାର ବଢ଼ିବାରେ ଲାଗିଛି। ତେବେ ଏହାକୁ ରୋକିବାରେ ଝିଅଙ୍କ ବିବାହ ବୟସ ବୃଦ୍ଧି ଆଇନ ସକ୍ଷମ ହେବ। ବିବାହ ବୟସ ବଢ଼ିଲେ ବହୁବିଧ ସାମାଜିକ ଆର୍ଥିକ ବିକାଶ ସମ୍ଭବ ହୋଇ ପାରିବ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଗୁରୁବାର ପ୍ରକାଶ ପାଇଥିବା ଏସ୍‌ବିଆଇ ଇକୋ ଓ୍ବାର୍ପ ରିପୋର୍ଟରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଦେଶରେ ଘଟୁଥିବା କୁପୋଷଣ ଜନିତ ମାତୃ ଓ ଶିଶୁ ମୃତ୍ୟୁ ହାର ଏହାଦ୍ୱାରା ମଧ୍ୟ କମିଯିବ ବୋଲି ଏଥିରେ ପ୍ରକାଶ ପାଇଛି। ବିଳମ୍ବରେ ବିବାହ କରିବା ଦ୍ୱାରା ଝିଅମାନେ ଉଚ୍ଚଶିକ୍ଷା ଲାଭ କରିବା ସହିତ ଉପଯୁକ୍ତ କ୍ୟାରିଅର ମଧ୍ୟ ଚୟନ କରିପାରିବେ। ଫଳରେ ସେମାନଙ୍କ ଆର୍ଥିକ ବିକାଶ ହୋଇ ପାରିବ। ଏହାର ସକାରାତ୍ମକ ପ୍ରଭାବ ସେମାନଙ୍କର ପରବର୍ତ୍ତୀ ପାରିବାରିକ ଜୀବନ ଉପରେ ଅନୁଭୁତ ହେବ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି। ଦେଶରେ ଝିଅଙ୍କ ହାରାହାରି ବିବାହ ବୟସ ସୀମା ୨୨.୩ ବର୍ଷ ରହିଛି। ଅପରପକ୍ଷରେ ୩୫ ପ୍ରତିଶତ ଝିଅ ୨୧ ବର୍ଷ ପୂର୍ବରୁ ବିବାହ କରିଥାନ୍ତି। ପଶ୍ଚିମବଙ୍ଗରେ ବିବାହ ବୟସ ସୀମା ସର୍ବନିମ୍ନ ୨୦.୯ ବର୍ଷ ରହିଛି। ରାଜ୍ୟର ୪୭ ପ୍ରତିଶତ ଝିଅ ୨୧ ବର୍ଷ ପୂର୍ବରୁ ବିବାହ କରୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

Share