ଧରିତ୍ରୀ ଖବର ଦେଖି ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ କଲେ ସାମାଜିକ କର୍ମୀ

ବରଗଡ ଅଫିସ,୬।୧୦- ବରଗଡ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ରାଇଶୋଭା ଗ୍ରାମର ମଙ୍ଗଳୁ ଭରାସାଗରଙ୍କ ସାଢେ ୪ମାସର ଶିଶୁପୁତ୍ର ସରୋଜଙ୍କ ଅଣ୍ଟାରେ ଜନ୍ମରୁ ଏକ ମାଂସ ପିଣ୍ଡୁଳା ବଢି ଚାଲିଛି। ମାଂସ ପିଣ୍ଡୁଳାଟି ଯେଭଳି ବଢୁଛି, ଶିଶୁପୁତ୍ରର ଯନ୍ତ୍ରଣା ମଧ୍ୟ ସେଭଳି ବଢିବାରେ ଲାଗିଛି। ତେବେ ମଙ୍ଗଳୁ ନିହାତି ଗରିବ ପରିବାରରୁ ଆସିଛନ୍ତି। ଜଣେ ଅଟୋ ଡ୍ରାଇଭର ହୋଇଥିବା ଯୋଗୁ ଶିଶୁପୁତ୍ରର ଚିକିତ୍ସା ପାଇଁ ତାଙ୍କ ପକ୍ଷରେ ଅର୍ଥ ପ୍ରତିବନ୍ଧକ ସାଜିଛି। ଏ ନେଇ ମଙ୍ଗଳବାର ଧରିତ୍ରୀରେ ’ଅସହ୍ୟ ହେଉଛି ଯନ୍ତ୍ରଣା’ ଶୀର୍ଷକରେ ଏକ ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ଆଧାର କରି ବରଗଡ ଜିଲା ବିଜେପୁର ବ୍ଳକ ଯୋଖିପାଲି ଗ୍ରାମର ସାମାଜିକ କର୍ମୀ ଦିବସ କୁମାର ସାହୁ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବରଗଡ ଜିଲାପାଳ ପ୍ରମୁଖଙ୍କୁ ଟୁଇଟ କରି ଶିଶୁପୁତ୍ରର ଚିକିତ୍ସା ପାଇଁ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି।