Categories: ଫୁରସତ

ରାସ୍ତାକଡ଼ରେ ବେଲୁନ୍‌ ବିକୁଥିବା ଏହି ଯୁବତୀଙ୍କ ଜୀବନ ବଦଳାଇଲା ସୋସିଆଲ ମିଡିଆ; ପାଲଟିଲେ ଷ୍ଟାର୍‌

ଆଜିକାଲି ସମୟରେ ସୋସିଆଲ ମିଡିଆର କ୍ରେଜ ଅଧିକ। ସେଥିପାଇଁ ତ ବିଶ୍ୱ ତଥା ଦେଶର କୋଣ ଅନୁକୋଣରେ ଲୁଚି ରହିଥିବା ଅନେକେ ପ୍ରତିଭା ଏହା ଜରିଆରେ ଲୋକଲୋଚନକୁ ଆସୁଛନ୍ତି। ସେମାନେ ରାତାରାତି ଷ୍ଟାର ପାଲଟୁଛନ୍ତି ମଧ୍ୟ। ଉଦାହରଣ ସ୍ବରୂପ ରାନୁ ମଣ୍ଡଳଙ୍କଠାରୁ ଆରମ୍ଭ କରି କଚ୍ଚା ବାଦାମ ଫେମ୍‌ ଭୁବନ ବଦାୟକ, ବଚପନ୍‌ କା ପ୍ୟାର୍‌ ଫେମ୍‌ ସହଦେବଙ୍କୁ ନେଇପାରିବେ। ଭାଇରାଲ ଷ୍ଟାର ହେବା ପୂର୍ବରୁ ସେମାନଙ୍କୁ ବା ଜାଣିଥିଲା କିଏ। ଏବେ ସେଭଳି ଘଟିଛି ରାସ୍ତାକଡ଼ରେ ବେଲୁନ ବିକ୍ରି କରି ପେଟ ପୋଷୁଥିବା ଜଣେ ଯୁବତୀଙ୍କ କ୍ଷେତ୍ରରେ।

କେରଳରେ ବେଲୁନ୍‌ ବିକ୍ରି କରୁଥିବା କିସ୍‌ବୁ ନାମକ ଯୁବତୀଙ୍କ ଜୀବନ ବଦଳାଇଛି ସୋସିଆଲ ମିଡିଆ। ଅଣ୍ଡାଲୁର୍‌ର କାଭୁ ଉତ୍ସବ ସମୟରେ ବେଲୁନ୍‌ ବିକ୍ରି କରୁଥିଲେ ସେ। ଏହି ସମୟରେ ଫଟୋଗ୍ରାଫର ଅର୍ଜୁନ କୃଷ୍ଣନଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ଜାନୁୟାରୀ ୧୭ରେ ସେ ଯୁବତୀଙ୍କ କିଛି ଫଟୋ ଉଠାଇଥିଲେ। ଏହାକୁ ଅର୍ଜୁନ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ। ଫଟୋଗୁଡ଼ିକ ବେଶ୍‌ ଭାଇରାଲ ହେବା ସହ ଚର୍ଚ୍ଚାକୁ ଆସିଥିଲା।

ଏହାପରେ ଅର୍ଜୁନ କିସ୍‌ବୁଙ୍କ ମେକ୍‌ଓଭର କରାଇଥିଲେ। ଏପରିକି ସେ ତାଙ୍କର ଏକ ଫଟୋଶୁଟ୍‌ କରାଇଛନ୍ତି। ସେଥିରୁ କିଛି ଫଟୋ ଓ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିବା ସହ ‘ଅଣ୍ଡାଲୁର୍‌ର ଗଳିରୁ ଲୋକମାନଙ୍କ ହୃଦୟ ପର୍ଯ୍ୟନ୍ତର ଯାତ୍ରା। ମେକ୍‌ଓଭର୍‌ ପରେ ତାଙ୍କ ମୁହଁରେ ଥିବା ଚମକ’ବୋଲି କ୍ୟାପ୍‌ଶନରେ ଲେଖିଛନ୍ତି। ଫଟୋଗୁଡ଼ିକ ଦେଖିଲେ କିସ୍‌ବୁଙ୍କ ପୂର୍ବ ଚେହେରା ଭିତରେ ଲୁଚି ରହିଥିବା ସୁନ୍ଦରତା ବେଶ ବାରି ହୋଇପଡ଼ୁଛି ବୋଲି ଲୋକେ ପ୍ରତିକ୍ରିୟା ଦେଉଛନ୍ତି।

ତେବେ କିସ୍‌ବୁଙ୍କ ଜନ୍ମ ରାଜସ୍ଥାନର ଏକ ଗରିବ ପରିବାରରେ। କମ୍‌ ବୟସରେ ବାପାଙ୍କୁ ହରାଇବା ପରେ ସେ ମା’ଙ୍କ ସହ ପରିବାରର ପେଟ ପୋଷିବା ଲାଗି ବେଲୁନ୍‌ ବିକ୍ରି କରିବା ଆରମ୍ଭ କରିଥିଲେ। ହେଲେ ଆଜି ସେ ଇଣ୍ଟରନେଟ୍‌ ଷ୍ଟାର ପାଲଟିଛନ୍ତି। ଆଗାମୀ ଦିନରେ ତାଙ୍କ ପାଇଁ ସଫଳତାର ଦ୍ୱାର ଗୋଟିଏ ପରେ ଗୋଟିଏ ଖୋଲିଯିବ ବୋଲି କୁହାଯାଉଛି।

ଦେଖନ୍ତୁ ତାଙ୍କର କିଛି ଫଟୋ:

Share