Categories: ବାଣିଜ୍ୟ

ସୋଆ ଆଇନ୍‌ ଛାତ୍ରୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର,୧୪।୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦ୍ୱାରା ପରିଚାଳିତ ସୋଆ ନ୍ୟାଶନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲ (ସ୍ନିଲ୍‌)ର ଛାତ୍ରୀ କୁମାରୀ ରାଧିକା ଶର୍ମା ଚଳିତ ବର୍ଷ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଏ ନେଇ ସୋଆ ପକ୍ଷରୁ ବୁଧବାର ଏକ ସ୍ବତନ୍ତ୍ର ସମ୍ମାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜରଞ୍ଜନ ନାୟକ ରାଧିକାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଉଲ୍ଲେଖଯୋଗ୍ୟ, କୁମାରୀ ଶର୍ମା ଚଳିତ ବର୍ଷ ଓଏଏସ୍‌ ପରୀକ୍ଷାରେ ୪୭ତମ ର଼୍ୟାଙ୍କ୍‌ ଅଧିକାର କରିଛନ୍ତି। ସେ ସ୍ନିଲ୍‌ର ୨୦୧୪-୧୯ ବ୍ୟାଚ୍‌ ବିଏଏଲ୍‌ଏଲ୍‌ବି ଛାତ୍ରୀ।

ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ପ୍ରଫେସର ଡ. ନାୟକ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ କୁମାରୀ ଶର୍ମା ନିଜ ସଫଳତାର ଶ୍ରେୟ ସୋଆକୁ ଦେବା ସହ ତାଙ୍କୁ ପାଠ ପଢ଼ାଇଥିବା ଅଧ୍ୟାପିକା ଅଧ୍ୟାପକଙ୍କ ସହଯୋଗ ହିଁ ତାଙ୍କୁ ଏତେ ବାଟ ଆଣିପାରିଛି ବୋଲି କହିଥିଲେ। ତେଣୁ ସୋଆର ନାମକୁ ସେ ସବୁବେଳେ ଉଚ୍ଚକୁ ନେବାକୁ ଚେଷ୍ଟା କରିବେ ବୋଲି କହିଥିଲେ।

ଓଡ଼ିଶା ପ୍ରଶାସନିକ ସେବା ମାଧ୍ୟମରେ ସେ ଜନସାଧାରଣଙ୍କ ସେବା କରିବାକୁ ଚେଷ୍ଟା କରିବେ ବୋଲି କହିବା ସହ ଆଗାମୀ ଦିନରେ ଭାରତୀୟ ପ୍ରଶାସନିକ ସେବାରେ ନିଜକୁ ସାମିଲ କରିବା ନିମନ୍ତେ ପ୍ରଚେଷ୍ଟା କରିବେ ବୋଲି ସେ କହିଥିଲେ। ତାଙ୍କୁ ସମ୍ବର୍ଦ୍ଧନା ଦେବା ଅବସରରେ ସ୍ନିଲ୍‌ର ଡିନ୍‌ ପ୍ରଫେସର ଏସ୍‌.ଏ.କେ. ଆଜାଦ, ସିନିୟର ପ୍ରଫେସର ପ୍ରବୀର ପଟ୍ଟନାୟକ, ସିନିୟର ପ୍ରଫେସର ମଧୁସୂଦନ ଦାସ ଓ ଆସୋସିଏଟ୍‌ ପ୍ରଫେସର ଚିନ୍ମୟ ମହାପାତ୍ର ଉପସ୍ଥିତ ଥିଲେ।

Share