କୋରାପୁଟ/ଜୟପୁର,୮।୭ (ଅମିତାଭ ବେହେରା/ପବନ ପାଣିଗ୍ରାହୀ): ଜୟପୁରସ୍ଥିତ ଖଣି ବିଭାଗର ଉପନିର୍ଦ୍ଦେଶକ ସତ୍ୟଜିତ୍ ରାଉତ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି। ବାଲିଘାଟ ଇଜାରାର ଅବଧି ବୃଦ୍ଧି କରିବା ସହ ଭବିଷ୍ୟତରେ ସ୍ପଟ ନିଲାମରେ ସୁବିଧା ଯୋଗାଇଦେବା ପାଇଁ ସେ ଜଣେ ବ୍ୟବସାୟୀଙ୍କଠାରୁ ଏହି ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ରାଶି ଗ୍ରହଣ ସମୟରେ ଭିଜିଲାନ୍ସ ଟିମ ଚଢ଼ାଉ କରି ତାଙ୍କୁ କାବୁ କରିଥିଲା ଏବଂ ୨ ଲକ୍ଷ ଟଙ୍କା ଜବତ କରିଛି। ଏହାପରେ ଭିଜିଲାନ୍ସ ପକ୍ଷରୁ ଜୟପୁରର ଲିଙ୍ଗରାଜ ନଗରସ୍ଥିତ ବାସଭବନ, କଟକ ଜିଲାର ବିଦ୍ୟାଧରପୁର ଓ ମାହାଙ୍ଗା ଅଞ୍ଚଳର ଓଳକଣାସ୍ଥିତ ଘରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏହି ଚଢାଉବେଳେ ଜୟପୁର ବାସଭବନରୁ ଆଉ ୨ ଲକ୍ଷ ୯୦ ହଜାର ଟଙ୍କା ନଗଦ ଜବତ କରାଯାଇଛି। ଫଳରେ ମୋଟ ୪ ଲକ୍ଷ ୯୦ ହଜାର ଟଙ୍କା ନଗଦ ଜବତ ହୋଇଛି।
ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା୭ ଅନୁଯାୟୀ ମାମଲା (ନଂ୧୪/୨୦୨୬) ରୁଜୁ କରାଯାଇଛି। ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି।