ଦାରିଙ୍ଗବାଡ଼ିରେ ତୁଷାରପାତ, ୪ ଡିଗ୍ରୀକୁ ଖସିଲା ତାପମାତ୍ରା

ଦାରିଙ୍ଗବାଡ଼ି,୨୦ା୧୨(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଅସହ୍ୟ ଶୀତ ଅନୁଭୂତ ହେବା ସହ ତୁଷାରପାତ ହୋଇଛି। ଏହା ଦେଖିବାକୁ ସ୍ଥାନୀୟ ଲୋକଙ୍କ ସମେତ ରାତ୍ରିଯାପନ କରିଥିବା ପର୍ଯ୍ୟଟକ ଭିଡ଼ ଜମାଇବା ସହ ଏହାର ମଜା ନେଇଛନ୍ତି। ଚଳିତ ବର୍ଷ ତୁଷାରପାତ ପ୍ରଥମ ଥର ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରହିଛି। ପ୍ରତ୍ୟେକ ବର୍ଷ ଏହି ସମୟରେ ତୁଷାରପାତ ହେଉଥିବା ନଜିର ରହିଛି। ଦାରିଙ୍ଗବାଡ଼ିର ବିଦ୍ୟୁତ ବିଭାଗ ନିକଟ ସହ କଫି ବଗିଚା, କିଲାବାଡ଼ି, ସିମନବାଡ଼ି, ଶ୍ରାନିକେତା, କିରିକୁଟି, ସିଆଙ୍ଗବାଲି ଅଞ୍ଚଳ ସମେତ ଦୁର୍ଗମ ଗ୍ରାମଗୁଡ଼ିକରେ ମଧ୍ୟ ତୁଷାରପାତ ହୋଇଥିବା ଜଣାପଡ଼ିଛି। ଅସହ୍ୟ ଶୀତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ପ୍ରବଳ ଶୀତକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ୨୫ଟି ପଞ୍ଚାୟତରେ ରାତ୍ରି ଆଶ୍ରୟସ୍ଥଳୀ କରାଯାଇଛି। ସେଠାରେ ଅସହାୟ ଏବଂ ବାହାରୁ ଆସୁଥିବା ଲୋକ ରାତ୍ରିଯାପନର ସମସ୍ତ ବ୍ୟବସ୍ଥା କରାଯାଇଥିବା ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି।