ଭଞ୍ଜନଗର,୨୯ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଆଜକୁ କିଛିଦିନ ହେବ ମଝିରେ ମଝିରେ ବର୍ଷା ହେଉଛି। ତେଣୁ ଖାଲଖମାଗୁଡ଼ିକ ପାଣିରେ ଭର୍ତ୍ତି ହୋଇଥିବା ଯୋଗୁ ସାପ ବାହାରି ସୁରକ୍ଷିତ ସ୍ଥାନକୁ ଚାଲି ଆସୁଛନ୍ତି। ଏହି ସମୟରେ ଲୋକଙ୍କୁ ଦଂଶନ କରୁଛନ୍ତି। ଫଳରେ ଅକାଳରେ ଅନେକ ଲୋକଙ୍କ ଜୀବନ ଯାଉଛି। ୩ ଦିନ ପୁର୍ବେ ତାରସିଂ ଥାନା ଅନ୍ତର୍ଗତ ଗଜପଦର୍ ଗ୍ରାମର ସୁଦାମ ନାୟକଙ୍କୁ ସର୍ପ ଦଂଶନ କରିବାରୁ ସେ ମୃତ୍ୟୁବରଣ କରିଛନ୍ତି। କିଛିଦିନ ପୂର୍ବେ ବେନାକୁନ୍ଦା ବିଦ୍ୟାଳୟ ପରିସରରେ ଏକ ବିଷଧର ସାପକୁ ଧରାଯାଇଛି। ଏହି ସମୟରେ ବିଦ୍ୟାଳୟ ବନ୍ଦ ଥିଲା। ମଙ୍ଗଳବାର ରାତିରେ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର କାର୍ଯ୍ୟାଳୟରେ ଦୁଇଟି ବିଷଧର ସାପ ପଶିଯାଇଥିଲା। ସ୍ନେକ ହେଲ୍ପଲାଇନ ସଦସ୍ୟ ରଞ୍ଜନ ବିଷୋୟୀ ଘଟଣା ସ୍ଥଳରେ ପହଞ୍ଚି ସାପ ଦୁଇଟିକୁ ଉଦ୍ଧାର କରି ଜଙ୍ଗଲରେ ନେଇ ଛାଡ଼ି ଦେଇଥିଲେ।
ସେହିପରି ବୁଧବାର ଅପରାହ୍ନରେ ଭଞ୍ଜନଗର ସହରତଳିରେ ରହୁଥିବା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଦୁର୍ଗା ପ୍ରସାଦ ସାହୁଙ୍କ ଘରେ ଏକ ବିରାଟ ନାଗ ସାପ ପଶିଯାଇଥିଲା। ଏହାପରେ ସ୍ନେକ ହେଲ୍ପଲାଇନ ସଦସ୍ୟ ରଞ୍ଜନ ବିଷୋୟୀ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ନେଇ ଛାଡ଼ିଛନ୍ତି। ବର୍ଷା ପାଇଁ ସାପ ଆତଙ୍କ ବଢ଼ୁଛି। ତେଣୁ ଲୋକେ ନିଜ ଘର ଚତୁଃପାର୍ଶ୍ୱକୁ ସଫାସୁତରା ରଖିବା ପାଇଁ ପରାମର୍ଶ ଦିଆଯାଉଛି।