Categories: ଜାତୀୟ

୩ ଭଉଣୀଙ୍କୁ କାମୁଡ଼ିଲା ସାପ, ରାତି ସାରା ଚାଲିଲା ଝଡ଼ାଫୁଙ୍କା; ଆଉ ସକାଳେ…

ରାଞ୍ଚି, ୨୦।୧୦: ଝାଡ଼ଖଣ୍ଡର ସିମଡେଗାଠାରେ ସାପ କାମୁଡ଼ିବା ପରେ ଅନ୍ଧବିଶ୍ୱାସ ହେତୁ ୩ ଭଉଣୀଙ୍କ ଜୀବନ ଚାଲିଯାଇଛି। ରାତିରେ ଚଟାଣରେ ଶୋଇଥିବାବେଳେ ୩ ଭଉଣୀଙ୍କୁ ସାପ କାମୁଡ଼ିଥିଲା। ଏହାପରେ ୩ ଭଉଣୀଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ପରିବାର ଲୋକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସାରାରାତି ଝଡ଼ାଫୁଙ୍କାରେ ସମୟ ନଷ୍ଟ କରିଥିଲେ। ଏହାପରେ ସକାଳେ ୩ ଭଉଣୀଙ୍କ ଜୀବନ ଦୀପ ଲିଭି ଯାଇଥିଲା।
ଝଡ଼ାଫୁଙ୍କାରେ ୩ ଭଉଣୀ ଆରୋଗ୍ୟ ଲାଭ କରିପାରି ନ ଥିଲେ। ସକାଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଇବା ପରେ ସମସ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇସାରିଥିଲା। ଡାକ୍ତର ୩ ଭଉଣୀଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଲୋକ ସେଥିରେ ବିଶ୍ୱାସ ଯାଇ ନ ଥିଲେ। ପୁଣିଜଣେ ବଡ଼ ଗୁଣିଆଙ୍କ ପାଖରେ ଝଡ଼ାଫୁଙ୍କା କରିବା ପାଇଁ ସେମାନେ ଓଡ଼ିଶା ଅଭିମୁଖେ ବାହାରିଥିଲେ ବୋଲି ଜଣାପଡ଼ିଛି। ମୃତ ୩ ଭଉଣୀଙ୍କ ନାମ ଅଙ୍କିତା ଲାକ୍ରା (୧୨ ବର୍ଷ), ହର୍ଷିତା ଲାକ୍ରା (୧୦) ଓ ଏଡାଲିନ୍‌ ଏକ୍କା (୮)। ଗ୍ରାମରେ ମୋବାଇଲ୍‌ ନେଟ୍‌ଓ୍ବର୍କ ନ ଥିବା ଯୋଗୁ ପରିବାର ଲୋକ ଆମ୍ବୁଲାନ୍ସ ଡାକି ନ ପାରି ଅନ୍ଧବିଶ୍ୱାସର ସାହାର ନେଇଥିଲେ ବୋଲି ଜାଣିବାକୁ ମିଳିଛି।

Share