ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଶିଶୁଙ୍କୁ କାମୁଡ଼ିଲା ସାପ, ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲେ କର୍ମୀ-ସିଡିପିଓ

ଦାରିଙ୍ଗବାଡ଼ି,୧୯ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ନୀଳକନ୍ଦର ସାହିରେ ରହିଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବୁଧବାର ମଧ୍ୟାହ୍ନରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ ସାଢ଼େ ୪ ବର୍ଷର ଶିଶୁକନ୍ୟାଙ୍କୁ ସାପ କାମୁଡ଼ି ଦେଇଛି। ସେ ହେଲେ ଗ୍ରୀନବାଡ଼ି ପଞ୍ଚାୟତ ସିକାପାଟା ଗ୍ରାମର ମିଲନ ପ୍ରଧାନଙ୍କ ଝିଅ ସୋନାକ୍ଷୀ। ତାଙ୍କୁ ଗୁରୁତର ଅବସ୍ଥାରେ ଅଙ୍ଗନଓ୍ବାଡ଼ି କର୍ମୀ ଲିଲି ପୁଷ୍ପିକା ଇକ୍କା ଓ ବାପା ଏବଂ ମା’ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ଦାରିଙ୍ଗବାଡ଼ି ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶିଶୁର ଚିକିତ୍ସା କରାଇଥିଲେ।

ପ୍ରକାଶ ଯେ, ମଧ୍ୟାହ୍ନଭୋଜନ ଖାଇବା ପାଇଁ ଛୁଟି ହୋଇଥିଲା। ଏହି ସମୟରେ ଉକ୍ତ କେନ୍ଦ୍ର ସମ୍ମୁଖରେ ଶିଶୁକନ୍ୟାଙ୍କ ବାପା ଓ ମା’ କରିଥିବା ଦୋକାନ ନିକଟକୁ ଶିଶୁଟି ନିଜ ମା’ ମମିତା ପ୍ରଧାନଙ୍କୁ ଦେଖି ଖୁସିରେ ଦୌଡ଼ି ଯାଉଥିବା ବେଳେ ସାପ କାମୁଡି ଦେଇଥିବା କୁହାଯାଇଛି। ଶିଶୁକନ୍ୟା ଜଣଙ୍କ ମୋତେ ସାପ କାମୁଡ଼ି ଦେଲା କହି ଚିତ୍କାର କରିବାରୁ ଅଙ୍ଗନଓ୍ବାଡ଼ି କର୍ମୀ ଲିଲି ପୁଷ୍ପିକା ଏକ୍କା ଏବଂ ପରିବାର ଲୋକ ତୁରନ୍ତ ଶିଶୁଙ୍କୁ ନେଇ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ରକ୍ତ ନମୁନା ସଂଗ୍ରହ କରାଯିବା ସହ ଆବଶ୍ୟକ ଚିକିତ୍ସା କରାଯାଉଛି। ଶିଶୁର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଚିକିତ୍ସା କରୁଥିବା ଡାକ୍ତର ରାକେଶ ସ୍ବାଇଁ କହିଛନ୍ତି। ସେ କହିଛନ୍ତି, ଚିକିତ୍ସା ପରେ ଶିଶୁଙ୍କୁ ଖାଦ୍ୟ ଖାଇବାକୁ ଦିଆଯାଇଛି। ଚିକିତ୍ସା ଜାରି ରହିଛି ରକ୍ତ ପରୀକ୍ଷା ରିପୋର୍ଟ ଆସିଲେ ଆଗକୁ ପଦକ୍ଷେପ ନିଆଯିବ ବୋଲି ଡାକ୍ତର କହିଛନ୍ତି। ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଜଣେ ଶିଶୁଙ୍କୁ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବାରୁ କର୍ମୀଙ୍କୁ ସମସ୍ତେ ସାଧୁବାଦ ଜଣାଇଛନ୍ତି। ସେହିପରି ଏବେ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସମେତ ବିଦ୍ୟାଳୟ ପରିସରରେ ଲଟା ବୁଦା ହୋଇରହିଛି। ବର୍ଷା ଯୋଗୁ ସାପଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେଣୁ ଏଥିପ୍ରତି ଜିଲା ପ୍ରଶାସନ ସମସ୍ତ ସ୍କୁଲ, ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ସଫା ସୁତରା ରଖିବାକୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Dharitri – Odisha’s No.1 Odia Daily

Share