ଟିକିରା ନଦୀରୁ ବାଲି ଚୋରା ଚାଲାଣ

ନାକଟିଦେଉଳ,୨୪ା୨(ଡ଼ି.ଏନ.ଏ.): ନାକଟିଦେଉଳ ତହସିଲ ଅନ୍ତର୍ଗତ ବାଟଗାଁ ରାଜସ୍ବ ସର୍କଲର ଟିକିରା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବାଟଗାଁ ପଞ୍ଚାୟତର ସମିତିସଭ୍ୟ ସୁଶାନ୍ତ କୁମାର ସାମଲ ଗୁରୁବାର ତହସିଲଦାର ସୁକାନ୍ତ କୁମାର ନାଏକଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଏହାର ନକଲ ସମ୍ବଲପୁର ଜିଲାପାଳ, ଏସ୍‌ପି, ଭିଜିଲାନ୍ସ ଏସ୍‌ପିଙ୍କୁ ପ୍ରଦାନ କରିଛନ୍ତି। ଅଭିିଯୋଗ ଅନୁଯାୟୀ ପ୍ରାୟ ୨ମାସ ହେବ କେତେଜଣ ବାଲି ମାଫିଆ ଟେଣ୍ଡର ନେଇଥିବା ଦର୍ଶାଇ ସେଠାରେ ଏକ ଅସ୍ଥାୟୀ କ୍ୟାମ୍ପ କରି ଟିକିରା ନଦୀରୁ ଜେସିବି ସାହାଯ୍ୟରେ ବାଲି ଉତ୍ତୋଳନ କରୁଛନ୍ତି। ଏପରି କି ଦିନ ଦ୍ୱିପ୍ରହରରେ ଟ୍ରାକ୍ଟର ଯୋଗେ ଅନ୍ୟତ୍ର ଚାଲାଣ କରୁଛନ୍ତି। ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କଲେ ସଂପୃକ୍ତ ବାଲି ମାଫିଆମାନେ ସେମାନଙ୍କୁ ମାରପିଟ କରିବା ସହ ଧମକଚମକ ଦେଉଛନ୍ତି। ତହସିଲର ବିନା ଟେଣ୍ଡରରେ ଉକ୍ତ ସ୍ଥାନରୁ କିପରି ବାଲି ଉଠାଯାଉଛି ବୋଲି ସମିତି ସଭ୍ୟ ସାମଲ ପ୍ରଶ୍ନ କରିଛନ୍ତି। ତହସିଲ ପକ୍ଷରୁ ଚଢାଉ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।