ନୂଆଦିଲ୍ଲୀ,୩୧।୮: ମହିଳା ଏସିଆ କପ୍ ୨୦୨୬ରେ ଭାରତୀୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଥାଇଲାଣ୍ଡକୁ ୯୪ ରନ୍ରେ ପରାସ୍ତ କରିଛି। ଭାରତ ପକ୍ଷରୁ ଶେଫାଳୀ ବର୍ମା ୬୪ ରନ୍ର ଦମଦାର ଇନିଂସ ଖେଳିଥିବା ବେଳେ ବୋଲରମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏହି ମ୍ୟାଚ୍ରେ ଭାରତୀୟ ଓପନର ସ୍ମୃତି ମନ୍ଧାନା ବଡ଼ ଇନିଂସ ଖେଳିପାରିନଥିଲେ ମଧ୍ୟ ଏକ ବଡ଼ ଅନ୍ତର୍ଜାତୀୟ ରେକର୍ଡ ନିଜ ନାମରେ କରିଛନ୍ତି।
ଥାଇଲାଣ୍ଡ ବିପକ୍ଷ ମ୍ୟାଚ୍ରେ ସ୍ମୃତି ମନ୍ଧାନା ୧୦ଟି ବଲ୍ରେ ୧୯ ରନ୍ କରିଥିଲେ। ଏହି ଇନିଂସ ଅବସରରେ ସେ ନ୍ୟୁଜିଲାଣ୍ଡର ସୁଜି ବେଟ୍ସଙ୍କୁ ପଛରେ ପକାଇ ଅନ୍ତର୍ଜାତୀୟ କ୍ରିକେଟ୍ରେ ସର୍ବାଧିକ ରନ୍ କରିଥିବା ମହିଳା କ୍ରିକେଟରଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି।ବେଟ୍ସଙ୍କୁ ଟପିବା ପାଇଁ ମନ୍ଧାନାଙ୍କୁ ମାତ୍ର ୪ ରନ୍ ଆବଶ୍ୟକ ଥିଲା। ଫନିତା ମାୟାଙ୍କ ବଲ୍ରେ ଚୌକା ମାରି ସେ ଏହି ରେକର୍ଡ ହାସଲ କରିଥିଲେ। ମନ୍ଧାନାଙ୍କ ନାମରେ ଏବେ ମୋଟ ୧୦,୭୫୬ ଅନ୍ତର୍ଜାତୀୟ ରନ୍ ରହିଛି।
ଅନ୍ତର୍ଜାତୀୟ ମହିଳା କ୍ରିକେଟ୍ରେ ସର୍ବାଧିକ ରନ୍ କରିବାରେ ଏବେ ମଧ୍ୟ ଭାରତର ପୂର୍ବତନ ଦିଗ୍ଗଜ ମିତାଲି ରାଜ ପ୍ରଥମ ସ୍ଥାନରେ ଅଛନ୍ତି। ମିତାଲିଙ୍କ ନାମରେ ୧୦,୮୬୮ ରନ୍ ରହିଛି। ମନ୍ଧାନା ଏବେ ତାଙ୍କଠାରୁ ମାତ୍ର ୧୧୨ ରନ୍ ପଛରେ ଅଛନ୍ତି। ତେଣୁ ଆଗାମୀ ମ୍ୟାଚ୍ଗୁଡ଼ିକରେ ମନ୍ଧାନା ମିତାଲିଙ୍କ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। ଏହି ତାଲିକାରେ ସୁଜି ବେଟ୍ସ ଏବେ ତୃତୀୟ ସ୍ଥାନରେ ଥିବା ବେଳେ ଚାର୍ଲୋଟ୍ ଏଡୱାର୍ଡ୍ସ ଏବଂ ଷ୍ଟେଫାନି ଟେଲର ପରବର୍ତ୍ତୀ ସ୍ଥାନରେ ଅଛନ୍ତି।
ସ୍ମୃତି ମନ୍ଧାନା ଏପର୍ଯ୍ୟନ୍ତ ଭାରତ ପାଇଁ ୩୦୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ୯ଟି ଟେଷ୍ଟରେ ୭୮୮ ରନ୍, ୧୨୦ଟି ଦିନିକିଆରେ ୫,୪୧୧ ରନ୍ ଏବଂ ୧୭୨ଟି ଟି-୨୦ରେ ୪,୫୫୭ ରନ୍ କରିଛନ୍ତି। ତାଙ୍କ ମୋଟ ଅନ୍ତର୍ଜାତୀୟ ରନ୍ ସଂଖ୍ୟା ୧୦,୭୫୬ରେ ପହଞ୍ଚିଛି ।