Categories: ଖେଳ

ସ୍ମୃତି ମନ୍ଧାନା ଉଠିଲେ, ଖସିଲେ ମିତାଲି ରାଜ

ଦୁବାଇ, ୬।୪- ଆଇସିସି ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟିକା ମିତାଲି ରାଜ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ମାତ୍ର ଷ୍ଟାର ଓପନର ସ୍ମୃତି ମନ୍ଧାନା ଉପରକୁ ଉଠିଛନ୍ତି। ଏବେ ର଼୍ୟାଙ୍କିଙ୍ଗ୍‌ରେ ମିତାଲି ୭ମ ଓ ମନ୍ଧାନା ୯ମ ସ୍ଥାନରେ ଅଛନ୍ତି।

ନିକଟରେ ଶେଷ ହୋଇଥିବା ଦିନିକିଆ ମହିଳା କ୍ରିକେଟ ବିଶ୍ୱକପରେ ମିତାଲି ନୈରାଶ୍ୟଜନକ ପ୍ରଦର୍ଶନ କରି ୭ ମ୍ୟାଚରେ ୧୮୨ ରନ କରିଛନ୍ତି। ଏଥିଲାଗି ତାଙ୍କ ରେଟିଂ ପଏଣ୍ଟ ହ୍ରାସ ହୋଇ ୬୮୬ରେ ପହଞ୍ଚିଛି। ସେହିଭଳି ମନ୍ଧାନା ୭ ମ୍ୟାଚରେ ୩୨୭ ରନ ସ୍କୋର କରିଛନ୍ତି। ତାଙ୍କ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ୬୬୯ରେ ହୋଇଛି। ଏ ଦୁଇ ଖେଳାଳିଙ୍କୁ ଛାଡ଼ିଦେଲେ ଉପ-ଅଧିନାୟିକା ହରମନପ୍ରୀତ କୌର ଗୋଟିଏ ପାହାଚ ଉପରକୁ ଉଠି ୧୪ତମ ସ୍ଥାନ ଅଧିକାର କରିଛନ୍ତି।

ଇଂଲଣ୍ଡ ବିପକ୍ଷ ଫାଇନାଲରେ ୧୭୦ ରନର ଚମତ୍କାରୀ ଇନିଂସ ଖେଳିଥିବା ଅଷ୍ଟ୍ରେଲିଆର ଉଇକେଟ କିପର-ବ୍ୟାଟ୍ସମ୍ୟାନ୍‌ ଆଲିସା ହିଲି ର଼୍ୟାଙ୍କିଙ୍ଗ୍‌ର ଶୀର୍ଷସ୍ଥାନ ହାସଲ କରିଛନ୍ତି। ୩୨ ବର୍ଷୀୟା ହିଲି ଗତ ବିଶ୍ୱକପରେ ୨ଟି ଲେଖାଏ ଶତକ ଓ ଅର୍ଦ୍ଧଶତକ ସହ ୫୦୯ ରନ ସଂଗ୍ରହ କରିଥିଲେ।

Share