Categories: ଖେଳ

ସ୍ମ୍ରିତି ମନ୍ଧାନାଙ୍କ ପ୍ରଥମ ପସନ୍ଦ ଟେଷ୍ଟ କ୍ରିକେଟ; ଆଣ୍ଡରସନଙ୍କ ସହ କୋହଲିଙ୍କ କଥା କଟାକଟିକୁ ନେଇ କହିଲେ ଏଭଳି

ନୂଆଦିଲ୍ଲୀ,୨୫।୮: ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଓପନର ସ୍ମ୍ରିତି ମନ୍ଧାନା ନିଜ ଖେଳ ସହ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏଥିପାଇଁ ତାଙ୍କୁ ‘ନ୍ୟାଶନାଲ କ୍ରସ୍‌’ ବି କୁହାଯାଏ। ଏବେ ରବିଚନ୍ଦ୍ରନ ଅଶ୍ୱିନଙ୍କ ସହ ତାଙ୍କର ଏକ ସାକ୍ଷାତକାରର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଅଶ୍ୱିନ ପୁରୁଷ କ୍ରିକେଟ ଦେଖିବାକୁ ନେଇ ସ୍ମ୍ରିତିଙ୍କୁ ପ୍ରଶ୍ନ କରିଛନ୍ତି। ଜବାବରେ ତାଙ୍କୁ ଟେଷ୍ଟ କ୍ରିକେଟ ଦେଖିବାକୁ ବେଶି ପସନ୍ଦ ବୋଲି ସେ କହିଛନ୍ତି।

ନିକଟରେ ଇଂଲଣ୍ଡ ବିପକ୍ଷରେ ଏକ ଟେଷ୍ଟ ମ୍ୟାଚ୍‌ ଖେଳି ମନ୍ଧାନା ଭଲ ପ୍ରଦର୍ଶନ କରିଥିଲେ। ଭାରତ ଏହି ମ୍ୟାଚ୍‌କୁ ଡ୍ର କରିବାରେ ସଫଳ ହୋଇଥିଲା। ତେବେ ଅଶ୍ୱିନଙ୍କ ୟୁଟ୍ୟୁବ ଚ୍ୟାନେଲ ସହ କଥାବାର୍ତ୍ତାରେ ମନ୍ଧାନା କହିଛନ୍ତି, ସେ ବେଶି କ୍ରିକେଟ ଦେଖନ୍ତି ନାହିଁ। ହେଲେ ତାଙ୍କୁ ଟେଷ୍ଟ ମ୍ୟାଚ୍‌ ଦେଖିବାକୁ ଭଲ ଲାଗେ। ଭାରତୀୟ ପୁରୁଷ ଟିମ୍‌ ଟେଷ୍ଟ ମ୍ୟାଚ୍‌ ଯେତେବେଳେ ଖେଳେ ସେ ତାକୁ ମିସ୍‌ କରନ୍ତି ନାହିଁ। ବିଶେଷକରି ଜେମ୍ସ ଆଣ୍ଡରସନ ବୋଲିଂ କରିବା ସହ ହେଉଥିବା କଥା କଟାକଟି ଦେଖିବାକୁ ଭଲ ଲାଗେ ବୋଲି ମନ୍ଧାନା କହିଛନ୍ତି।

Share