ସ୍ମାର୍ଟସିଟି ଯୋଜନା ବାଟବଣା

ଭଦ୍ରକ ଅଫିସ, ୩ା୯: ଭଦ୍ରକ ପୌରପାଳିକା ପକ୍ଷରୁ ୧୫ମାସ ପୂର୍ବେ ସହରରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ସହରକୁ ସ୍ମାର୍ଟସିଟି କରାଯିବା ପାଇଁ ପରିକଳ୍ପନା କରାଯାଇ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ ମାତ୍ର ମହତାବ ଛକରୁ ଘୋଷରା ବଜାର ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରାଯାଇ ବନ୍ଦ କରି ଦିଆଯାଇଥିଲା। ଉଚ୍ଛେଦ କରାଯାଇଥିବା ବ୍ୟବସାୟୀଙ୍କୁ ଇତିମଧ୍ୟରେ ଥଇଥାନ କରାଯାଇ ପାରିନାହିଁ। ସ୍ମାର୍ଟ ସିଟି ହୋଇ ସହର ଝଲସିବ ବୋଲି ଆଶା ରଖି ବ୍ୟବସାୟୀମାନେ ଉଚ୍ଛେଦ ପ୍ରକ୍ରିୟାକୁ ସହଯୋଗ କଲେ। ହେଲେ ତାହା ପ୍ରହସନ ପାଲଟିଛି।
ମୋଟ ୨୧୮ଜଣ ବ୍ୟବସାୟୀ ଏବେ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ କିଏ ପରିବା ବିକୁଛି ତ ଅନ୍ୟ କିଏ ଠେଲା ଗାଡ଼ି ଧରି ଚା’ ବିକୁଛି। ଉଚ୍ଛେଦ ସମୟରେ ଜିଲା ପ୍ରଶାସନ ଓ ବିଧାୟକ ବ୍ୟବସାୟୀଙ୍କୁ ତୁରନ୍ତ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅପର୍ତ୍ତିବିନ୍ଧା ଛକ, ଶନିମନ୍ଦିର ଛକ ଓ ବାଇପାସ୍‌ ଜଗନ୍ନାଥ ମନ୍ଦିର ଛକ ନିକଟରେ ମାର୍କେଟ୍‌ କମ୍ପ୍ଲେକ୍ସ କରାଯିବା ପାଇଁ ପ୍ରତିଶ୍ରୁତି ଦିଆଯାଇ ବ୍ୟବସାୟୀଙ୍କୁ ଉଚ୍ଛେଦ କରି ଦିଆଯାଇଥିଲା। ଏପରିକି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ହେଲେ ଶନିମନ୍ଦିର ଛକ ନିକଟରେ ପାଣି ନାଳ ଉପରେ ପ୍ରାୟ ୪୦ଲକ୍ଷ ଟଙ୍କା ବ୍ୟୟରେ ୧୩ଟି ଦୋକାନ ଗୃହ କାମ ଆରମ୍ଭ କରାଯାଇଥିଲା। ହେଲେ ଏହି କାମ ସରିବାର ନାଁ ଧରୁନାହିଁ। ଦୋକାନ ଗୃହ ବାଣ୍ଟିବା ପାଇଁ ଏହି କାମ ଶେଷ କରାଯାଉ ନ ଥିବା ଶ୍ରମିକ ନେତା ତଥା ଉଠା ଦୋକାନୀ ସଙ୍ଗଠନର ସଭାପତି ଦିବ୍ୟସିଂହ ନାୟକ ଅଭିଯୋଗ କରିଛନ୍ତି। ୨୦୧୮ ସେପ୍ଟେମ୍ବର ୩୦ତାରିଖ ଗତ ନିର୍ବାଚିତ ପୌରପରିଷଦର କାର୍ଯ୍ୟକାଳ ପୂରି ଯାଇଥିଲା। ଏ ପର୍ଯ୍ୟନ୍ତ କୌଣସି କାରଣରୁ ପୌରନିର୍ବାଚନ ହୋଇନାହିଁ। ତେଣୁ ଏହି ଅବଧି ମଧ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ପୌରପାଳିକାର କାର୍ଯ୍ୟ ତୁଲାଉଛନ୍ତି ଜିଲା ପ୍ରଶାସକ। ତେବେ ପ୍ରଶାସକଙ୍କ ହାତରେ ପୌରପାଳିକା ଥାଇ ସୁଦ୍ଧା ଉଚ୍ଛେଦ ହୋଇଥିବା ଦୋକାନୀମାନେ ଯଦି ଏଭଳି ଥଇଥାନ ହୋଇପାରୁନାହାନ୍ତି ତେବେ କେବେ ସେମାନଙ୍କୁ ଥଇଥାନ କରାଯିବ ବୋଲି ଆଇନଜୀବୀ ରାଧା ଦାସ ପ୍ରଶ୍ନ କରିଛନ୍ତି। ବାଇପାସ୍‌ ଜଗନ୍ନାଥ ମନ୍ଦିର ନିକଟ ଓ ଅପର୍ତ୍ତିବିନ୍ଧା ଛକ ନିକଟ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଇଟା ଖଣ୍ଡିଏ ପଡ଼ିନାହିଁ। ଏଣୁ ବ୍ୟବସାୟୀ ଏବେ ଥଇଥାନ ହେବେ କି ନାହିଁ ତାହା ସନ୍ଦେହ ମଧ୍ୟରେ ରହିଛନ୍ତି।