ସ୍ମାର୍ଟକେମ୍‌ କମ୍ପାନୀ କାର୍ଯ୍ୟକୁ ବିରୋଧ ଜାରି

ଛତ୍ରପୁର,୨ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କାଳିପଲ୍ଲୀ ଗ୍ରାମ ନିକଟରେ ଟାଟା କମ୍ପାନୀର ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ୍‌ ଟେକ୍ନୋଲୋଜି ନାମକ ଏକ କାରଖାନା ନିର୍ମାଣକୁ ସ୍ଥାନୀୟ ଲୋକଙ୍କ ବିରୋଧ ଜାରି ରହିଛି। ପ୍ରକଳ୍ପ ସ୍ଥଳରେ ସୋମବାର ଭଳି ମଙ୍ଗଳବାର ମଧ୍ୟ ପୋଲିସ-ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଏଥିରେ ଉଭୟ ପକ୍ଷରୁ ୬ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏଠାରେ ଏହି ବିଷାକ୍ତ ପ୍ରକଳ୍ପ ବନ୍ଦ କରି ଅନ୍ୟ କିଛି ଶିଳ୍ପ କାରଖାନା କରାଯାଉ ବୋଲି କାଳିପଲ୍ଲୀ ପଞ୍ଚାୟତବାସୀ ଜିଦ୍‌ ଧରି ଆନ୍ଦୋଳନ ଜାରି ରଖିଛନ୍ତି।
ପୂର୍ବରୁ ବିରୋଧ ଯୋଗୁ ସ୍ମାର୍ଟକେମ୍‌ ପ୍ରକଳ୍ପ କାମ ବନ୍ଦ ରହିଥିଲା। ପରେ କମ୍ପାନୀ କୋର୍ଟଙ୍କ ନିୟମ ମୁତାବକ ପୋଲିସ ଫୋର୍ସ ଉପସ୍ଥିତିରେ ପୁଣି କାମ ଆରମ୍ଭ କରିଥିଲା। ଏହାକୁ ବିରୋଧ କରିବାରୁ ପୋଲିସ-ଗ୍ରାମବାସୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ମଙ୍ଗଳବାର ଗ୍ରାମବାସୀ ଏକ ବୈଠକରେ ଏ ସମ୍ପର୍କରେ ଆଲୋଚନା କରିବା ପରେ ପ୍ରକଳ୍ପସ୍ଥଳକୁ ଯାଇ ଧସେଇ ପଶିଥିଲେ। ସେଠାରେ ପୋଲିସ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଗ୍ରାମ ନିକଟରେ ଏହି ବିଷାକ୍ତ କମ୍ପାନୀ ହେଲେ ଲୋକେ ବିଭିନ୍ନ ରୋଗରେ ପଡ଼ିବେ। ଏପରି କି କମ୍ପାନୀ ନିର୍ମାଣ ନେଇ କୌଣସି ଜନଶୁଣାଣି ମଧ୍ୟ ହୋଇ ନ ଥିବା ଅଭିଯୋଗ ହୋଇଛି।
ହାଇକୋର୍ଟରେ ରିଟ୍‌ ପିଟିଶନ ଦାଖଲ
ସ୍ମାର୍ଟକେମ୍‌ କମ୍ପାନୀ ପ୍ରକଳ୍ପ ବିରୋଧରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏକ ରିଟ୍‌ ପିଟିଶନ ଦାଖଲ ହୋଇଥିବା ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ ପାଇଁ ଜନଶୁଣାଣି କରାଯାଇନି। ଭୁଲ୍‌ ତଥ୍ୟ ଦେଇ ଏହାକୁ ଏନ୍‌ଓସି ଦିଆଯାଇଥିବା ଉକ୍ତ ପିଟିଶନରେ ଦର୍ଶାଯାଇଛି। ଉକ୍ତ ମାମଲାରେ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ସଚିବ, ମିନିଷ୍ଟ୍ରି ଅଫ୍‌ କମ୍ପାନୀ ରେଜିଷ୍ଟ୍ରେଶନ ସଚିବ, ଚେୟାରମ୍ୟାନ୍‌ କେନ୍ଦ୍ର ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ, ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଗଞ୍ଜାମ ଜିଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ଉକ୍ତ ମାମଲାକୁ ଓକିଲ ଗୋପାଳ ପ୍ରସାଦ ଜେନା ପରିଚାଳନା କରୁଛନ୍ତି।