ସ୍ମାର୍ଟ ଘଣ୍ଟା

ଘଣ୍ଟା ଆମକୁ ସମୟ ବିଷୟରେ ଅବଗତ କରାଇଥାଏ। ଆଜିକାଲି ବିଭିନ୍ନ ପ୍ରକାର ହାଇଟେକ୍‌ ଘଣ୍ଟା ପ୍ରସ୍ତୁତ ହେଲାଣି। ହେଲେ ଏପରି ଏକ ସ୍ମାର୍ଟ ଘଣ୍ଟା ଅଛି, ଯାହା ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସୂଚନା ଦେବା ସହ ତାହାକୁ ଗ୍ରହଣ ନ କରିବା ପର୍ଯ୍ୟନ୍ତ ବନ୍ଦ ହୋଇ ନ ଥାଏ। କଥା କ’ଣ କି ଆଜିକାଲି ଭୋର୍‌ରୁ ହେଉ କିମ୍ବା କୌଣସି କାମ ପୂର୍ବରୁ କେତେକ ଘଣ୍ଟାରେ ଆଲାରାମ ସେଟ୍‌ କରିଥାଆନ୍ତି। ଆଲାରାମ କିଛି ସମୟ ବାଜିବା ପରେ ବନ୍ଦ ହୋଇଯାଇଥାଏ। ବିଶେଷ ଭାବରେ ଭୋର୍‌ରୁ ଉଠିବା ପାଇଁ ସେଟ୍‌ ହୋଇଥିବା ଆଲାରାମକୁ ନିଘୋଡ଼ ନିଦରେ ଶୋଇଥିବା କେତେକ ବ୍ୟକ୍ତି ଗ୍ରହଣ କରି ନ ଥାନ୍ତି। ହେଲେ ବିଛଣା ଛାଡ଼ିଲା ବେଳକୁ ସେମାନଙ୍କର ରୁଟିନ୍‌ ଲାଇଫ୍‌ ଓଲଟ ପାଲଟ ହୋଇଯାଇଥାଏ। ତେବେ ଏହି ସ୍ମାର୍ଟ ଘଣ୍ଟାର ଆଲାରାମ ସମ୍ପୃକ୍ତ ବ୍ୟକ୍ତି ନ ଉଠିବା ପର୍ଯ୍ୟନ୍ତ ବାଜିଥାଏ। ଏଥିରେ କୌଣସି ତାର ସଂଯୋଗ କରାଯାଇ ନ ଥାଏ। କେବଳ ବ୍ୟାଟେରି ପକାଇଲେ ତାହା ଚାଲିଥାଏ। ଯଦି ସେହି ବ୍ୟକ୍ତି ଏହାର ଆଲାରାମକୁ ଧ୍ୟାନ ନ ଦିଅନ୍ତି ତେବେ ତାହା ସେ ଉଠିବା ପର୍ଯ୍ୟନ୍ତ ବାଜି ଚାଲିଥାଏ। ବିଶେଷଭାବରେ ଅଳସୁଆ ବ୍ୟକ୍ତିଙ୍କ ପାଇଁ ଏଭଳି ସ୍ମାର୍ଟ ଘଣ୍ଟା ଅଧିକ କାମରେ ଆସିବ ବୋଲି ପ୍ରସ୍ତୁତକାରୀ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।